ମଲ୍‌ରେ ଟିକା ମନା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଭନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ଚେତିଲେ ରାଜ୍ୟ ସରକାର। ଡ୍ରାଇଭ୍‌ ଇନ୍‌ ଭ୍ୟାକ୍ସିନେସନ ଓ ଡୋର୍‌ ଷ୍ଟେପ୍‌ ଟିକାକରଣକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ପ୍ରଥମେ ଆରମ୍ଭ ହୋଇଥିଲା ଏହି ଡ୍ରାଇଭ୍‌ ଇନ୍‌ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ। ଗତ ୮ ତାରିଖରେ ପ୍ରଥମେ ରସୁଲଗଡ଼ ସ୍ଥିତ ଏକ ମଲରୁ ଟିକାକରଣ ଆରମ୍ଭ ହୋଇଥିଲା। ଚାହିଦା ବଢ଼ିବାରୁ ଆଉ କିଛି ମଲ୍‌ରେ ମଧ୍ୟ ବିଏମ୍‌ସି ପକ୍ଷରୁ ଏହିଭଳି ଟିକାକରଣ କରାଗଲା। ତେବେ ଏଭଳି ଟିକାକରଣକୁ ନା ପସନ୍ଦ କରିଥିଲେ ବହୁ ବର୍ଗର ଲୋକେ। ଏପରିକି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଏ ନେଇ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନଗର ନିଗମ କମିସନର ଓ ଜିଲା ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି।