Posted inଫୁରସତ

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ ..

ଦୀପାବଳିର ଆଲୋକମାଳା ମନେପକାଇଦିଏ ଏ ହେଉଛି ଅନ୍ଧକାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ରାତି। ହେଲେ ଭାରତର ସବୁ ସ୍ଥାନରେ ଯେ କେବଳ ଦୀପ ଜଳାଇ, ଆଲୋକମାଳାରେ ସଜ୍ଜିତ କରି ଦୀପାବଳି ପାଳନ କରାଯାଏ ତାହା ନୁହେଁ, କିଛି ସ୍ଥାନରେ ଏହିଦିନକୁ କିଛି ଭିନ୍ନ ଢଙ୍ଗରେ ବି ପାଳନ କରାଯାଏ । କାରଣ ଏହିଦିନ ସହ କିଛି ଭିନ୍ନ ମାନ୍ୟତା ଓ ପ୍ରଥା ବି ଜଡ଼ିତ ଥାଏ । ଯେମିତିକି କେଉଁଠି ପରସ୍ପର ଉପରକୁ ଫୋପଡ଼ାଯାଏ ଆତସବାଜି ତ ଆଉ କେଉଁଠି ହୁଏ ନରକାସୁର ପୁତ୍ତଳିକା ଦହନ…
ପରସ୍ପର ଉପରକୁ ଫୋପାଡନ୍ତି ଆତସବାଜି: ଗୁଜରାଟର ପଞ୍ଚମହଲ ଜିଲାରେ ଦୀପାବଳି ପାଳିତ ହୁଏ ଏକ ନିଆରା ଢଙ୍ଗରେ। ଏଠି ଲୋକେ ପରସ୍ପର ଉପରକୁ ଜଳନ୍ତା ବାଣ ପକାଇଥାଆନ୍ତି। ପ୍ରତିବର୍ଷ ଦୀପାବଳିର ଏହି ପ୍ରଥା ପଞ୍ଚମହଲର ଭେଜଲପୁର ଗ୍ରାମରେ ବେଶ୍‌ ଧୁମ୍‌ଧାମରେ ପାଳିତ ହୋଇଆସୁଛି। ଏହିଦିନ ୬-୭ ଜଣିଆ ଗ୍ରୁପ୍‌ଗୁଡ଼ିକ ପରସ୍ପର ଉପରକୁ ଏଭଳି ଜଳନ୍ତା ବାଣ ଫୋପାଡିଥାଆନ୍ତି ଯେ, ଲାଗେ ସତେ ଯେମିତି ଯୁଦ୍ଧ ଚାଲିଛି। ଏହି ଦୃଶ୍ୟକୁ କିଛି ଦୂରରେ ଥାଇ ଲୋକେ ମନଭରି ଉପଭୋଗ କରନ୍ତି। କାହିଁ କେଉଁ କାଳର ଏହି ପ୍ରଥା ଏବେ ବି ଚାଲିଛି। ତେବେ ସ୍ଥାନୀୟ ସରକାର ଏହି ପ୍ରଥାରେ ରୋକ୍‌ ଲଗାଇବାକୁ ଚେଷ୍ଟା ଚଳାଇଛନ୍ତି। କାରଣ ଏହା ପରିବେଶ ପ୍ରଦୂଷିତ କରିବା ସହ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ। ଏହାବାଦ୍‌ ଗୁଜରାଟର କିଛି ଘରେ ଦୀପାବଳି ଦିନ ଘିଅ ଦୀପ ରାତିସାରା ଜଳାଯାଏ। ଦୀପରୁ ଯାହା ବଳିଥାଏ ତାକୁ ପରଦିନ ସକାଳେ କଜ୍ଜଳ ତିଆରି ପାଇଁ ବ୍ୟବହାର କରାଯାଏ, ଯାହାକୁ କି ମହିଳାମାନେ ଆଖିରେ ଲଗାନ୍ତି। ଏହାକୁ ଏକ ପବିତ୍ର ପ୍ରଥା ଭାବେ ବିବେଚନା କରାଯାଏ, ଯାହା କି ସମୃଦ୍ଧି ଆଣିଥାଏ ବୋଲି ବିଶ୍ୱାସ ରହିଛି। ଏହାବାଦ୍‌ ଗୁଜରାଟର ନର୍ମଦା ଓ ବାରୁଚ ଜିଲାରେ ରହୁଥିବା କିଛି ଆଦିବାସୀ ସମ୍ପ୍ରଦାୟର ଲୋକେ ଆଲୋକର ପର୍ବ ଦୀପାବଳିକୁ ସୁସ୍ବାସ୍ଥ୍ୟର ପ୍ରତୀକଭାବେ ବିବେଚନା କରି ପାଳନ କରିଥାନ୍ତି। ସେମାନେ ଏହାକୁ ୧୫ ଦିନ ପର୍ଯ୍ୟନ୍ତ ପାଳନ କରନ୍ତି। ଯେଉଁଥିରେ ଔଷଧୀୟ ବୃକ୍ଷ ଜଳାଯାଇଥାଏ। ଏହାକୁ ଜଳାଇବାଦ୍ୱାରା ଯେଉଁ ଧୂଆଁ ନିର୍ଗତ ହୁଏ ତାହା ସେମାନଙ୍କୁ ସୁସ୍ଥ ରଖେ। ଏହି ଦୀପାବଳି ପ୍ରଥା ପ୍ରକୃତରେ ବହୁତ ଖାସ୍‌ ଓ ସ୍ବାସ୍ଥ୍ୟକର। ଏହି ପ୍ରଥା ଦର୍ଶାଇଥାଏ ଯେ, ‘କଠିନ ଶ୍ରମ ଯଦିଓ ସମୃଦ୍ଧି ଆଣେ, ତେବେ ଏହି କଠିନ ଶ୍ରମ ପାଇଁ ସୁସ୍ବାସ୍ଥ୍ୟ ନିହାତି ଜରୁରୀ।’
ଶସ୍ୟର ବିବାହ: ଛତିଶଗଡ଼, ବସ୍ତର ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଲୋକେ ଦୀପାବଳିକୁ ‘ଦିୟାରୀ’ ନାମରେ ପାଳନ କରିଥାନ୍ତି, ଯାହାର ଥାଏ କିଛି ସ୍ବତନ୍ତ୍ର ପ୍ରଥା ପରମ୍ପରା। ଭଗବାନ୍‌ ନାରାୟଣଙ୍କ ଏକ ପ୍ରତିମା ସହ କ୍ଷେତର ଫସଲର ଏକ ଆନୁଷ୍ଠାନିକ ବିବାହ ସହିତ ଏହି ପର୍ବ ଆରମ୍ଭ ହୁଏ। ଉତ୍ସବର ପ୍ରଥମ ଦିନରେ ବସ୍ତରର ଆଦିବାସୀ ଗ୍ରାମରେ ପଶୁପାଳନ କରୁଥିବା ମାଲିକମାନଙ୍କୁ ମଦ୍ୟ ପ୍ରଦାନ କରି ସମ୍ମାନିତ କରାଯାଏ। ତିନି ଦିନ ଯାଏ ପାଳିତ ହେଉଥିବା ଏହି ନିଆରା ଦୀପାବଳି ପର୍ବରେ ଗୋରୁଙ୍କୁ ଫୁଲରେ ସଜାଯାଏ, ଡ୍ରମ ବଜାଯାଏ ଏବଂ ଫସଲକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ଭାବରେ ପୂଜା କରାଯାଇଥାଏ। ଖାସ୍‌କରି ନୂଆ ଶସ୍ୟ ଓ ଗୋରୁଙ୍କୁ ପୂଜା କରିବା ଲାଗି ଏହି ପର୍ବ ପାଳନ କରାଯାଇଥାଏ। କିଛି ଆଦିବାସୀ ସମ୍ପ୍ରଦାୟର ଲୋକେ ପ୍ରଭୁ ନାରାୟଣଙ୍କ ବିବାହରେ ଉପହାର ଦେବା ଲାଗି ଧାନ କେଣ୍ଡା ବି ଆଣିଥାନ୍ତି।
ସମ୍ପ୍ରଦାୟରେ ମଧ୍ୟ ଦୀପାବଳିକୁ ‘ଦିୟାରୀ’ ନାମରେ ପାଳନ କରାଯାଏ। କିନ୍ତୁ ଏମାନଙ୍କ ପାଳନ ଛତିଶଗଡ଼ର ଆଦିବାସୀ ସମ୍ପ୍ରଦାୟଠୁ ଭିନ୍ନ। ଏମାନେ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତି। ଏହିଦିନ ସେମାନେ ସୁନା ଓ ରୁପା ମୁଦ୍ରାକୁ କଞ୍ଚା କ୍ଷୀରରେ ସଫା କରନ୍ତି। ପୂଜା ପରେ ସେହି ସୁନା ରୁପା ମୁଦ୍ରାକୁ ନେଇ ଧୀରେ ଧୀରେ ଦାନ୍ତରେ ବାଡ଼େଇ ବାଡେଇ ଗୀତ ଗାଆନ୍ତି- ଲକ୍ଷ୍ମୀ ଆୟି, ଦାନତ ଭାଇ। ଅର୍ଥାତ୍‌ ଯେବେ ଲକ୍ଷ୍ମୀଙ୍କ ଆଗମନ ହୁଏ, ଦାରିଦ୍ର୍ୟ ଦୂର ହୁଏ ।
ପଥର କା ମେଲା: ହିମାଚଳ ପ୍ରଦେଶ ରାଜଧାନୀ ଶିମ୍‌ଲାଠାରୁ ପ୍ରାୟ ୩୦ କି.ମି. ଦୂର ଧାମୀସ୍ଥ ହଲୋଗରେ ପଥରର ଏକ ନିଆରା ମେଳା ଆୟୋଜିତ ହୁଏ। କାହିଁ କେଉଁ କାଳରୁ ପାଳିତ ହେଉଥିବା ଏହି ମେଳା ଏକ ଆଧ୍ୟାତ୍ମିକ ମେଳା ଓ ଏହା ଦୀପାବଳି ପରଦିନ ପାଳିତ ହୋଇଥାଏ। ଏହି ମେଳାରେ ଦୁଇ ସମୁଦାୟ ଭିତରେ ପଥର ଫୋପଡ଼ା ପର୍ବ ଚାଲେ। ଆଖିବୁଜା ଯିଏ ଯାହାକୁ ପଥର ଫୋପାଡ଼ନ୍ତି। ଏହା ସେପର୍ଯ୍ୟନ୍ତ ଚାଲେ ଯେ ପର୍ଯ୍ୟନ୍ତ ଗୋଟିଏ ପକ୍ଷ ଲହୁ ଲୁହାଣ ନ ହୋଇଯାଏ। କାହିଁ କେବେଠାରୁ ଚାଲି ଆସିଥିବା ଏହି ମେଳାରେ ହଜାର ହଜାର ଲୋକ ଧାମୀ ମଇଦାନରେ ସାମିଲ ହୁଅନ୍ତି। ଧାମୀର ରାଜା ବି ରାଜକୀୟ ଠାଣିରେ ଏହି ମେଳା ସ୍ଥାନକୁ ପହଞ୍ଚନ୍ତି। କୁହାଯାଏ ପୂର୍ବେ ଏଠାରେ ପ୍ରତିବର୍ଷ ଭଦ୍ରକାଳୀଙ୍କୁ ନରବଳି ପ୍ରଦାନ କରାଯାଉଥିଲା। ହେଲେ ଧାମୀର ରାଣୀ ସତୀ ହେବା ପୂର୍ବରୁ ନରବଳି ପ୍ରଥାକୁ ବନ୍ଦ କରିବା ଲାଗି ଆଦେଶ ଦେଇଥିଲେ। ଏହାପରେ ଏଠାରେ ପଶୁବଳି ଆରମ୍ଭ ହୋଇଥିଲା। ପରେ ଏହାକୁ ବି ବନ୍ଦ କରାଗଲା। ଏହାପରେ ‘ପଥର କା ମେଲା’ ଆରମ୍ଭ ହୋଇଥିଲା। ମେଳାରେ ପଥର ବାଜି ରକ୍ତ ବାହାରିଲେ ସେହି ରକ୍ତକୁ ମା’ ଭଦ୍ରକାଳୀଙ୍କଠାରେ ତିଳକ ଲଗାଯାଏ। କୁହାଯାଉଛି ଆଜିପର୍ଯ୍ୟନ୍ତ ଏହି ପଥର ମେଳା ଯୋଗୁ କାହାରି ମୃତ୍ୟୁ ହୋଇ ନାହିଁ।
ଦୀପାବଳିରେ ପାଳିତ ହୁଏ ‘ବନ୍ଦୀଛୋଡ୍‌’ ଦିବସ: ଶିଖ୍‌ମାନଙ୍କ ପାଇଁ ଦୀପାବଳି ପର୍ବ, ସେମାନଙ୍କର ସ୍ବାଧୀନତା ପାଇଁ ଲଢ଼େଇର କାହାଣୀ ସହ ଜଡ଼ିତ। ଏ ହେଉଛି ସେ ସମୟର କଥା ଯେବେ ଶିଖ୍‌ମାନଙ୍କ ଷଷ୍ଠଗୁରୁ ଗୁରୁ ହରଗୋବିନ୍ଦ ସିଂଙ୍କ ଲୋକପ୍ରିୟତା ଓ ପ୍ରଭାବରେ ସମ୍ରାଟ ଜାହାଙ୍ଗୀର ଭୟଭୀତ ହୋଇ ତାଙ୍କୁ ବନ୍ଦୀ କରି ଗ୍ବାଲିୟର୍‌ ଦୁର୍ଗରେ ରଖିଥିଲେ। ମୋଗଲମାନଙ୍କ ପ୍ରତି ବିପଦ ମଣାଯାଉଥିବା ଲୋକଙ୍କୁ ସେ ସମୟରେ ଏହି ଦୁର୍ଗରେ ବନ୍ଦୀ କରି ରଖାଯାଉଥିଲା। ଗୁରୁ ହରଗୋବିନ୍ଦ ସିଂଙ୍କ ବ୍ୟତୀତ ସେଠାରେ ଆହୁରି ୫୨ ଜଣ ରାଜା ବନ୍ଦୀ ହୋଇଥିଲେ। ତେବେ କୌଣସି ଏକ ଦୈବୀୟ ଘଟଣା ପରେ ସମ୍ରାଟ ଜାହାଙ୍ଗୀର

ଦୀପାବଳି ଦିନ ହିଁ ଷଷ୍ଠଗୁରୁ ହରଗୋବିନ୍ଦ ସିଂଙ୍କୁ ମୁକ୍ତ କରିଥିଲେ। ହେଲେ ଗୁରୁ ଏକୁଟିଆ ମୁକ୍ତ ହେବାକୁ ରାଜି ହୋଇ ନ ଥିଲେ। ସେ କହିଥିଲେ ତାଙ୍କ ସହ ଅନ୍ୟ ୫୨ ଜଣ ରାଜାଙ୍କୁ ବି ମୁକ୍ତ କରାଯାଉ। ଶେଷରେ ଏହି ସର୍ତ୍ତରେ ଜାହାଙ୍ଗୀର ରାଜି ହୋଇଥିଲେ। ଆଉ ସମସ୍ତଙ୍କୁ ମୁକ୍ତ କରାଯାଇଥିଲା। କୁହାଯାଏ ଦୀପାବଳି ଦିନ ହିଁ ସମସ୍ତେ ମୁକ୍ତ ହୋଇଥିଲେ। ତେଣୁ ଏହିଦିନକୁ ଶିଖ୍‌ମାନେ ‘ବନ୍ଦୀ ଛୋଡ୍‌’ ଦିବସଭାବେ ପାଳନ କରିବା ଆରମ୍ଭ କରିଥିଲେ। ଆଉ ଅମୃତସରର ପ୍ରତି ଘରେ ଓ ଗୁରୁଦ୍ୱାରାରେ ଦୀପ ଜଳାଇ ସଜାଯାଇଥିଲା। ସେବେଠାରୁ ଦୀପାବଳିକୁ ‘ବନ୍ଦୀ ଛୋଡ୍‌ ଦିବସ’ ଭାବେ ପାଳନ କରି ଦୀପ ଜଳାଯିବା ସହ ବାଣ ଫୁଟାଯାଏ, ପରସ୍ପରକୁ ଉପହାର ପ୍ରଦାନ କରାଯାଏ ଓ ଭୋଜିଭାତର ଆୟୋଜନ ବି ହୁଏ।
ନରକାସୁର ପୁତ୍ତଳିକା ଦହନ: ଗୋଆରେ ଆଲୋକର ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଏ। ଏଠାରେ ଦୀପାବଳି ନରକାସୁର ଚତୁର୍ଦ୍ଦଶୀ ଭାବେ ପରିଚିତ। ପୌରାଣିକ କଥାନୁସାରେ ନରକାସୁର ଗୋଆର ରାଜା ଥିଲେ। ସେ ଅହଂକାରୀ, ଦୁଷ୍ଟ ଏବଂ ତା’ ଭିତରେ ଅଲୌକିକ କ୍ଷମତା ଥିଲା। ଭଗବାନ୍‌ ଶ୍ରୀକୃଷ୍ଣ ନରକାସୁରକୁ ନରକ ଚତୁର୍ଦ୍ଦଶୀ ଦିନ ବଧ କରିଥିଲେ, ଯାହାକୁ କି କୁଶକ୍ତି ଉପରେ ବିଜୟର ପ୍ରତୀକଭାବେ ବିବେଚନା କରାଯାଏ। ତେଣୁ କୁଶକ୍ତି ଓ ଅନ୍ଧକାରର ପ୍ରତୀକ ଭାବେ ନରକାସୁରର ପୁତ୍ତଳିକାକୁ ଏହିଦିନ ଦାହ କରାଯାଏ। ସ୍ଥାନୀୟ ଅଧିବାସୀ ଅଦରକାରୀ କାଗଜ, ଘାସ ଓ ଅନ୍ୟ କିଛି ଉପକରଣରେ ନରକାସୁର ପୁତ୍ତଳିକା ତିଆରି କରଥାନ୍ତି। ଏହାପରେ ସେହି ପୁତ୍ତଳିକାରେ ବାଣ ଭର୍ତ୍ତି କରାଯାଏ। ପରେ ତାହାକୁ ଗୋଆର ଗଳିକନ୍ଦିରେ ବୁଲାଇ ବୁଲାଇ ପ୍ରଦର୍ଶିତ କରାଯାଏ। ଦୀପାବଳି ପୂର୍ବଦିନ ସ୍ଥାନୀୟ ପୁରୁଷମାନଙ୍କ ଦ୍ୱାରା ଏହାକୁ ଦହନ କରାଯାଏ। ଏହା ଆଲୋକର ପର୍ବ ପାଳନ ପ୍ରାରମ୍ଭ ତଥା ଅନ୍ଧକାର ଓ କୁଶକ୍ତିର ଅନ୍ତକୁ ସୂଚାଏ। ତା’ଛଡ଼ା ଉପକୂଳ ରାଜ୍ୟରେ ନରକାସୁର ବଧ ପ୍ରତିଯୋଗିତା ବି ଆୟୋଜନ କରାଯାଏ। ଏଥିରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାର ଭୋରରେ ନରକାସୁର ସାଜିଥିବା କଳାକାରଙ୍କୁ ପ୍ରତୀକାତ୍ମକଭାବେ ବଧ କରନ୍ତି।
ପୂର୍ବ ଭାରତରେ ମା’ କାଳୀଙ୍କ ପୂଜା: ଦୀପାବଳି ଅମାବାସ୍ୟାରେ ଯେଉଁଠି ଭାରତର ପ୍ରାୟ ସ୍ଥାନରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ, ପୂର୍ବ ଭାରତରେ ଖାସ୍‌କରି ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମ ମା’ କାଳୀଙ୍କ ଆରାଧନା କରାଯାଏ। କାଳୀ ପୂଜା ‘ଶ୍ୟାମା ପୂଜା’ ନାମରେ ବି ପରିଚିତ। ପୂର୍ବ ଭାରତରେ ଦୁର୍ଗାପୂଜା ପରେ ଏହି ପୂଜା ବେଶ୍‌ ଲୋକପ୍ରିୟ। କୋଲକାତାର ଦକ୍ଷିଣେଶ୍ୱର ଓ କାଳୀଘାଟ ମନ୍ଦିରରେ କାଳୀ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଏ। କାଳୀ ପୂଜାର ପୂର୍ବରାତି ‘ଭୂତ ଚତୁର୍ଦ୍ଦଶୀ’ଭାବେ ପରିଚିତ। ଘରେ ଘରେ ଏହି ଭୂତ ଚତୁର୍ଦ୍ଦଶୀ ରାତିରେ କୁଶକ୍ତିକୁ ଦୂରେଇବା ଲାଗି ୧୪ଟି ଦୀପ ଜଳାଯାଇଥାଏ।
ପୂର୍ବ ପୁରୁଷଙ୍କୁ ଡାକରା, ବଡ଼ ବଡ଼ୁଆ ହୋ… ଦୀପାବଳି ରାତିରେ ଓଡ଼ିଶାର ପୁରପଲ୍ଲୀ ବଡ଼ ବଡ଼ୁଆ ହୋ ..ଗଙ୍ଗା ଯା.. ଗୟା ଯା…ବାଇଶ ପାହାଚେ ଗଡୁଥା… ଧ୍ୱନିରେ ପ୍ରକମ୍ପିତ ହୁଏ। କାରଣ ଲୋକେ ଏକାଠି ହୋଇ କାଉଁରିଆ କାଠି ଜଳାଇ ବଡ଼ ବଡ଼ୁଆ ହୋ… ଗଙ୍ଗା ଯା… କହି ପୂର୍ବ ପୁରୁଷଙ୍କୁ ଆବାହନ କରିଥାନ୍ତି। ବିଶ୍ୱାସ ରହିଛି ଯେ, ଭୂପୃଷ୍ଠରେ ଶରୀର ତ୍ୟାଗ କଲାପରେ ବି ସ୍ବର୍ଗରେ ପୂର୍ବ ପୁରୁଷମାନେ ଥାଆନ୍ତି। ଆଉ ଦୀପାବଳି ରାତିରେ ବଡ଼ ବଡ଼ୁଆ ଡାକି ସେହି ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଭିକ୍ଷା କରାଯାଏ।
ଯମରାଜାଙ୍କ ପାଇଁ ଜଳାଯାଏ ଦୀପ: ଦୀପାବଳି ପୂର୍ବରୁ ପାଳନ କରାଯାଉଥିବା ଧନତେରସ୍‌ ପର୍ବ ମରାଠୀରେ ଧନ ତ୍ରୟୋଦଶୀ ନାମରେ ପରିଚିତ। ଏହିଦିନ ମରାଠୀ ମହିଳାମାନେ ଘରର ପ୍ରତ୍ୟେକ ପୁରୁଷ ସଦସ୍ୟଙ୍କ ଦୀର୍ଘ ଓ ସମୃଦ୍ଧି ଜୀବନ କାମନା କରି ତାଙ୍କ ନାମରେ ଗୋଟେ ଗୋଟେ ଦୀପ ଜାଳନ୍ତି। ମହାରାଷ୍ଟ୍ରରେ ‘ୟମନଦୀପଦାନ’ ଉତ୍ସବ ନାମରେ ବି ଏକ ଉତ୍ସବ ପାଳିତ ହୁଏ, ଯେଉଁଥିରେ ମୃତ୍ୟୁର ଦେବତା ଯମରାଜାଙ୍କ ସମ୍ମାନାର୍ଥେ ଅଟାରେ ପ୍ରସ୍ତୁତ ଦୀପ ଜଳାଯାଏ। ଏହି ପ୍ରଥା ସହିତ ଏକ ପୌରାଣିକ କଥାବସ୍ତୁ ଜଡ଼ିତ ରହିଛି। କୁହାଯାଏ ଜଣେ ରାଜକୁମାରଙ୍କ ଭାଗ୍ୟରେ ଲେଖାଥିଲା ଯେ, ବିବାହର ଚତୁର୍ଥୀରେ ତାଙ୍କର ମୃତ୍ୟୁ ହେବ। ହେଲେ ସେହି ଚତୁର୍ଥୀରେ ହିଁ ରାଜ କୁମାରଙ୍କ ପତ୍ନୀ ଦୁଆରେ ଦୀପ ଜଳାଇ ରାତି ସାରା ସ୍ବାମୀଙ୍କୁ ଉଜାଗର ରଖିଲେ। ଭାଗ୍ୟରେ ତ ମୃତ୍ୟୁ ଲେଖାଥିଲା ତେଣୁ ଯମରାଜା ସର୍ପ ରୂପ ନେଇ ରାଜକୁମାରଙ୍କ କକ୍ଷରେ ପଶିବାକୁ ଉଦ୍ୟମ କଲେ। ହେଲେ ପତ୍ନୀଙ୍କ ଆକୁଳ ନିବେଦନ ସହ ସ୍ବାମୀଙ୍କ ସୁରକ୍ଷା ପାଇଁ ଜଳାଇଥିବା ଦୀପ ଯୋଗୁ ଯମରାଜା ସେଦିନ ଆଉ ରାଜକୁମାରଙ୍କ ପ୍ରାଣ ନେଇପାରିଲେ ନାହିଁ। ସେବେଠାରୁ ଏହି ଦିନକୁ ‘ୟମନଦୀପଦାନ’ ଭାବେ ପାଳନ କରାଯାଉଛି। ଆଉ ଏହିଦିନ ରାତିସାରା ଯମରାଜାଙ୍କ ସମ୍ମାନାର୍ଥେ ଦୀପ ଜଳାଯାଉଛି।
ଏହାବାଦ୍‌ ମହାରାଷ୍ଟ୍ରର ଜଙ୍ଗଲ ଅଞ୍ଚଳରେ ରହୁଥିବା ‘ଠକର୍‌’ ନାମକ ଆଦିବାସୀ ସମ୍ପ୍ରଦାୟ ବି ଏକ ନିଆରା ଢଙ୍ଗରେ ଦୀପାବଳି ପାଳନ କରନ୍ତି। ଏଠାକାର ଅଧିବାସୀ ଚିବ୍ରା ନାମକ ଫଳକୁ ଶୁଖାଇ ସେଥିରେ ଦୀପ ତିଆରି କରି ତାକୁ ଗୋବର ଉପରେ ରଖି ଜଳାଇ ଦୀପାବଳି ପାଳନ କରନ୍ତି। ତା’ସହ ବେତର ଝୁଡିରେ ଶସ୍ୟ ରଖି ତାକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକଭାବେ ପୂଜା କରନ୍ତି। ଆଉ ଢୋଲର ତାଳେ ତାଳେ ଲୋକନୃତ୍ୟ ପରିବେଷଣ କରନ୍ତି।
ଧାନକ୍ଷେତରେ ଖାଦ୍ୟ ଅର୍ପଣ: ଦୀପାବଳିର ପ୍ରଥମ ଦିନରେ କର୍ନାଟକର ଅଧିବାସୀ ତୈଳସ୍ନାନ କରିଥାନ୍ତି। କାରଣ ବିଶ୍ୱାସ ରହିଛି ଯେ, ନରକାସୁରକୁ ବଧ କରିବା ପରେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ଶରୀରରୁ ରକ୍ତଛିଟାକୁ ସଫା କରିବା ଲାଗି ତୈଳ ସ୍ନାନ କରିଥିଲେ। ସେଥିପାଇଁ ଏହିଦିନ ଲୋକେ ନିଜକୁ ପାପରୁ ମୁକ୍ତ କରିବା ଲାଗି ତେଲରେ ଶରୀରକୁ ଘଷିଥାନ୍ତି। ଉପକୂଳବର୍ତ୍ତୀ କର୍ନାଟକରେ ଦୀପାବଳିକୁ ରାଜା ବାଳିଙ୍କ ଭକ୍ତିର ଦିନ ଭାବେ ବି ପାଳନ କରାଯାଏ, ଯାହାକି ‘ବାଳିପାଦ୍ୟାମୀ’ ଭାବେ ପରିଚିତ। ଏହିଦିନ ଚାଷୀମାନେ ଖୁସି ମନାନ୍ତି ଏବଂ ନିଜ ନିଜର ଧାନକ୍ଷେତରେ ଖାଦ୍ୟ ଅର୍ପଣ କରନ୍ତି। ‘ବାଳିପାଦ୍ୟାମୀ’ରେ ଜୁଆଖେଳିବାର ପ୍ରଥା ମଧ୍ୟ ଅଛି। କୁହାଯାଏ ଭଗବାନ୍‌ ଶିବ ଓ ମା’ ପାର୍ବତୀ ଏହିଦିନ ଗୋଟି ପକାଇ ଜୁଆଖେଳିଥିଲେ। ଯେଉଁଥିରେ ମା’ ପାର୍ବତୀ ମହାଦେବଙ୍କୁ ପରାସ୍ତ କରିଥିଲେ। ଏହାପରେ କୁମାରସ୍ବାମୀ ଖେଳିଥିଲେ ଓ ମା’ ପାର୍ବତୀଙ୍କୁ ପରାସ୍ତ କରିଥିଲେ। ପରେ କୁମାରସ୍ବାମୀଙ୍କୁ ପରାସ୍ତ କଲେ ଶ୍ରୀଗଣେଶ। ସେବେଠାରୁ ଏହିଦିନ ଉପକୂଳବର୍ତ୍ତୀ କର୍ନାଟକର ପ୍ରତି ପରିବାରରେ ଜୁଆ ଖେଳାଯାଏ ବୋଲି କୁହାଯାଏ।
କେବଳ ଏଇସବୁ ସ୍ଥାନ ନୁହେଁ ଭାରତର ଆହୁରି ଅନେକ ସ୍ଥାନରେ କିଛି ଭିନ୍ନ ଓ ନିଆରା ଢଙ୍ଗରେ ଦୀପାବଳି ପାଳନ ହୁଏ। ତେବେ ଦୀପାବଳି ପାଳନ କରିବାର ଶୈଳୀ ପଛେ ଭିନ୍ନ ହେଉ କିନ୍ତୁ ଧର୍ମ ଓ ସତ୍ୟର ସବୁବେଳେ ଜୟ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri