କୁଲଡ଼ିହା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ଦୀର୍ଘ ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ନିଆଁ ଲାଗି ବୃକ୍ଷଲତା ପୋଡି ପାଉଁଶ ହୋଇଯାଇଛି। ଏହାର ସ୍ଥିତି ଅନୁଧ୍ୟାନ କରିବା ଲାଗି ଶୁକ୍ରବାର ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପହଞ୍ଚିଛନ୍ତି। ସେ କୁଲଡ଼ିହା, ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ସ୍ବର ଉଠିବା ପରେ ପ୍ରଶାସନିକ ସ୍ତରରେ ବ୍ୟାପକ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ କୁଲଡ଼ିହା ପାଦଦେଶ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା, ଏସିଏଫ୍‌ଓ ଶରତ ଚନ୍ଦ୍ର ବେହେରା, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର, ନୀଳଗିରି ରେଞ୍ଜର ମନୱାର ଖାନ, ଚନ୍ଦ୍ରବିନ୍ଦୁ ଦାସ, ପ୍ରବୀଣ ନାୟକ, କରୁଣାକର ପଣ୍ଡା ପ୍ରମୁଖଙ୍କ ସହ ମିଶି କୁଲଡ଼ିହା ଅଭୟାରଣ୍ୟର ବନାଞ୍ଚଳ ଅନ୍ତର୍ଗତ ତେଣ୍ଡା, କୁଲଡ଼ିହା, ରିଷିୟା ଆଦି ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ।
କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ଭିତରୁ ୨୦୫ଟି ସ୍ଥାନ ୧୧୬.୫ ହେକ୍ଟର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି। ହଜାର ହଜାର ବୃକ୍ଷଲତା ପୋଡ଼ି ପାଉଁଶ ହୋଇଯାଇଥିବାରୁ ତୃଣଭୋଜି ଜୀବଙ୍କ ଖାଦ୍ୟ ପାଇଁ ବନବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଘଞ୍ଚ ସବୁଜ ଜଙ୍ଗଲ ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ। କିନ୍ତୁ ବିଗତ କିଛିଦିନ ହେଲାଣି କେତେଜଣ ନ୍ୟସ୍ତ ସ୍ବାର୍ଥପର ଲୋକ ନିଜର ସ୍ବାର୍ଥ ପାଇଁ ଅଗ୍ନି ସଂଯୋଗ କରି ଏହାକୁ ନଷ୍ଟ କରିବାରୁ ହୀନଚକ୍ରାନ୍ତ କରୁଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ଏକା ବନବିଭାଗ ପାରିବନି ଏଣୁ ବନାଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଥିଲେ। ଅଭୟାରଣ୍ୟରେ ନିଆଁ ଲିଭିଯାଇଥିବା ବେଳେ ଜଙ୍ଗଲରେ ଗତ ଗତ ମାର୍ଚ୍ଚ ୪ ତାରିଖଠାରୁ ବନବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ରାତିଦିନ ପରିଶ୍ରମ କରୁଥିବା ଦେଖି ବନକର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ। ସେହିପରି ବନବିଭାଗରେ କର୍ମଚାରୀ ଆବଶ୍ୟକ ଅନୁସାରେ ନ ଥିବା ବେଳେ ସରକାର ଏଥିପ୍ରତି ଯନତ୍ବାନ ହେବାକୁ କହିଥିଲେ। ପାଣି ସଂରକ୍ଷଣ ପାଇଁ ଚେକଡ୍ୟାମ୍‌ର ଆବଶ୍ୟକ ଥିବା କହିବା ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ଥିବା କହିଛନ୍ତି। ଏଥିସହିତ ବନାଗ୍ନି କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ଓ କେନ୍ଦ୍ରକୁ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।