Categories: ଜାତୀୟ

ଅଗଷ୍ଟରେ ବେରୋଜଗାରୀ ହାର ୮.୩%କୁ ବୃଦ୍ଧି

ନୂଆଦିଲ୍ଲୀ,୨ା୯:ଅଗଷ୍ଟରେ ଭାରତରେ ବେରୋଜଗାରୀ ହାର ୮.୩ %କୁ ବୃଦ୍ଧି ପାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ। ଏହି ମାସରେ ନିଯୁକ୍ତି ୨ ନିୟୁତ ହ୍ରାସ ପାଇ ୩୯୪.୬ ନିୟୁତ ରହିଥିବା ଭାରତୀୟ ଅର୍ଥନୀତି ପର୍ଯ୍ୟବେକ୍ଷକ କେନ୍ଦ୍ର (ସିଏମ୍‌ଆଇଇ) ତଥ୍ୟରୁ ଜଣାପଡ଼ିଛି। ଜୁଲାଇରେ ବେରୋଜଗାରୀ ହାର ୬.୮% ଏବଂ ନିଯୁକ୍ତି ୩୯୭ ନିୟୁତ ଥିଲା। ଗତ ମାସରେ ସହରାଞ୍ଚଳ ବେରୋଜଗାରୀ ୯.୬%କୁ ବୃଦ୍ଧି ପାଇଥିବାବେଳେ ଗ୍ରାମାଞ୍ଚଳରେ ଏହା ୭.୭% ରହିଥିବା ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି। ଲଗାଣ ବର୍ଷା ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଗ୍ରାମାଞ୍ଚଳରେ ବେରୋଜଗାରୀ ବଢ଼ିଥିବା କୁହାଯାଉଛି। ଚଳିତ ମାସରେ ଚାଷ କାର୍ଯ୍ୟ ବଢ଼ିବାକୁ ଥିବାରୁ ଗ୍ରାମାଞ୍ଚଳ ବେରୋଜଗାରୀ ହାର ହ୍ରାସ ପାଇପାରେ। ତେବେ ଆଗାମୀ ମାସରେ ସହରାଞ୍ଚଳ ବେରୋଜଗାରୀ ହାର କମିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।
ଅଗଷ୍ଟରେ ହରିୟାଣାରେ ବେରୋଜଗାରୀ ହାର ସର୍ବାଧିକ ୩୭.୩% ଥିବାବେଳେ ଜମ୍ମୁ-କଶ୍ମୀରରେ ୩୨.୮, ରାଜସ୍ଥାନରେ ୩୧.୪, ଝାଡ଼ଖଣ୍ଡରେ ୧୭.୩ ଏବଂ ତ୍ରିପୁରାରେ ୧୬.୩% ରହିଛି। ଅନ୍ୟପକ୍ଷରେ ଛତିଶଗଡ଼ରେ ବେରୋଜଗାରୀ ସର୍ବନିମ୍ନ ୦.୪ % ଥିବାବେଳେ ମେଘାଳୟରୋ ୨%, ମହାରାଷ୍ଟ୍ରରେ ୨.୨% ରହିଛି। ସେହିପରି ଓଡ଼ିଶା ଓ ଗୁଜରାଟରେ ବେରୋଜଗାରୀ ହାର ୨.୬ ପ୍ରତିଶତ ଥିବା ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି।
ଯୁବବର୍ଗଙ୍କ ମଧ୍ୟରେ ନିଯୁକ୍ତି ହାର ୨୦.୯ରୁ ୧୦.୪% କୁ ହ୍ରାସ ପାଇଛି, ଯାହାକି ୫ ବର୍ଷ ମଧ୍ୟରେ ସର୍ବନିମ୍ନ। ଏନେଇ ଭାଜପା ଏମ୍‌ପି ବରୁଣ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାରୀ ବିଭାଗଗୁଡ଼ିକ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଥିଲେ। ଏନେଇ କୌଣସି ବିଭାଗ ଏପର୍ଯ୍ୟନ୍ତ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିନାହାନ୍ତି। ନିଯୁକ୍ତି ପାଇଁ ଯୁବସମାଜ ଆଉ କେତେଦିନ ଅପେକ୍ଷା କରିବେ ବୋଲି ବରୁଣ ଟୁଇଟ୍‌ କରିଛନ୍ତି।

Share