ଗର୍ଭସ୍ଥ ଶିଶୁଙ୍କୁ ରହିଥାଏ କରୋନା ଭୟ, ମସ୍ତିଷ୍କ କରିଦେବ ଅକାମୀ: ସର୍ଭେ ରିପୋର୍ଟ

ମିଆମି,୧୦ା୪: ମିଆମି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, କରୋନା ସମ୍ପର୍କୀତ ଦୁଇଟି ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ଭୂତାଣୁ ମା’ଙ୍କ ପ୍ଲେସେଣ୍ଟା ପାର୍‌ ହୋଇ ଶିଶୁର ମସ୍ତିଷ୍କରେ ପହଞ୍ଚି କ୍ଷତି ଘଟାଇଛି। ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିବା ଦୁଇ ଜଣ ମା’ କରୋନା ଟିକା ଉପଲବ୍ଧ ହେବା ପୂର୍ବରୁ ଅର୍ଥାତ୍‌ ୨୦୨୦ରେ ମହାମାରୀର ଡେଲ୍ଟା ଲହରୀ ବଢୁଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ଏହି ମାମଲାର ଅଧ୍ୟୟନ ଏକ ପତ୍ରିକାରେ ପ୍ରକାଶିତ ହୋଇଛି।

ସାଇଟୋମେଗାଲୋଭାଇରସ୍‌, ରୁବେଲା, ଏଚ୍‌ଆଇଭି ଏବଂ ଜିକା ସମେତ ଅନେକ ଭୂତାଣୁ ମାତୃଗର୍ଭ ପାର୍‌ ହୋଇ ମସ୍ତିଷ୍କରେ କ୍ଷତି ଘଟାଇବାରେ ସକ୍ଷମ ହୋଇଥାଏ ବୋଲି ଜଣାପଡ଼ିଛି। କରୋନା ଭୂତାଣୁ ବୟସ୍କମାନଙ୍କ ମସ୍ତିଷ୍କ ଟିସୁରେ ମଧ୍ୟ ଦେଖିବାକୁ ମିଳିଛି। କେତେକ ବିଶେଷଜ୍ଞ ଏହା ପୂର୍ବରୁ ସନ୍ଦେହ କରିଥିଲେ ଯେ, ଏହା ଭ୍ରୁଣର ମସ୍ତିଷ୍କ ଟିସୁକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସଠିକ୍‌ ପ୍ରମାଣ ମିଳିନାହିଁ। ମିଆମି ବିଶ୍ୱବିଦ୍ୟାଳୟର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଚେୟାରମ୍ୟାନ ଡକ୍ଟର ମାଇକେଲ ପେଡାସ କହିଛନ୍ତିି, ଟ୍ରାନ୍ସପ୍ଲାସେଣ୍ଟାଲ ରାସ୍ତା ମାଧ୍ୟମରେ କରୋନା ଭୂତାଣୁ ଏକ ଭ୍ରୁଣ ଅଙ୍ଗରେ ପହଞ୍ଚିବା ପ୍ରମାଣକୁ ଆମେ ପ୍ରଥମ ଥର ପାଇଁ ଆବିଷ୍କାର କରିବାରେ ସକ୍ଷମ ହୋଇଛୁ। ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଯେଉଁ ନବଜାତ ଶିଶୁଙ୍କ ମସ୍ତିଷ୍କ କରୋନା ଦ୍ୱାରା ପ୍ରଭାବିତ ହୋଇଥିଲା ତାହା ପ୍ରଥମ ଦିନରୁ ଜଣାପଡ଼ିଥିଲା। ମାଇକ୍ରୋସେଫ୍‌ଲି ହେଉଛି ଏକ ଅବସ୍ଥା ଯେଉଁଥିରେ ଶିଶୁମାନଙ୍କର ଛୋଟ ମୁଣ୍ଡ ଥାଏ। ଏହା ପରିବର୍ତ୍ତେ, ଏହି ଶିଶୁମାନେ ସମୟ ସହିତ ମାଇକ୍ରୋସେଫଲି ବିକଶିତ କରିଥିଲେ। ଅନୁସନ୍ଧାନକାରୀ ଦଳ କହିଛନ୍ତି, ସେମାନଙ୍କର ମସ୍ତିଷ୍କ ସାଧାରଣ ହାରରେ ବ ବଢ଼ିବା ବନ୍ଦ ହୋଇଯାଇଥିଲା। ଉଭୟ ପିଲାଙ୍କ ମଧ୍ୟରେ ଗୁରୁତର ବିକାଶ ବିଳମ୍ବ ଦେଖାଗଲା। ଅନୁସନ୍ଧାନକାରୀ କହିଛନ୍ତି, ପିଲାମାନଙ୍କ ମଧ୍ୟରୁ ଜଣଙ୍କର ୧୩ ମାସ ବୟସରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ପିଲାମାନଙ୍କ ମଧ୍ୟରୁ ଜଣଙ୍କର ମା’ଙ୍କର କେବଳ ସାମାନ୍ୟ ଲକ୍ଷଣ ଥିଲା ଏବଂ ପିଲାଟି ପୂର୍ଣ୍ଣ ଅବସ୍ଥାରେ ଜନ୍ମ ହୋଇଥିଲା। ଅନ୍ୟ ମା’ ଜଣକ ଏତେ ଅସୁସ୍ଥ ଥିଲେ ଯେ, ଡାକ୍ତରମାନେ ଗର୍ଭଧାରଣର ୩୨ ସପ୍ତାହରେ ଶିଶୁକୁ ଜନ୍ମ କରାଇବାକୁ ବାଧ୍ୟ ହୋଇଥିଲେ।

Share