ନିହତ ହୋଇଥିବା ୨ ମାଓବାଦୀ ଛତିଶଗଡ଼ କ୍ୟାଡର୍‌, ହୋଇଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା: ଆଇଜି ଅମିତାଭ

ବଲାଙ୍ଗୀର ଅଫିସ, ୨୫।୧୧: ବଲାଙ୍ଗୀର-ବରଗଡ ଜିଲା ସୀମା ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁରୁବାର ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣା ପରେ ସ୍ଥିତି ଅନୁଧ୍ୟାନ କରିବାକୁ ଏକ ଉଚ୍ଚସ୍ତରୀୟ ପୋଲିସ ଅଧିକାରୀ ଟିମ୍‌ ବଲାଙ୍ଗୀର ଗସ୍ତରେ ଆସଛନ୍ତି। ସେମାନଙ୍କ ମଧ୍ୟରେ ଆଇଜି ଅପରେଶନ ଅମିତାଭ ଠାକୁର, ଏଡିଜି ସିଆର୍‌ପିଏଫ୍‌ ଭିଟୁଲ କୁମାର, ଡାଇରେକ୍ଟର ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ସ୍ବତନ୍ତ୍ର ଗୁଇନ୍ଦା ଆର୍‌ ସୁବର୍ଣ୍ଣ, ଅଶ୍ବିନୀ ସିଂ ଡିଆଇଜି ସ୍ବତନ୍ତ୍ର ଗୁଇନ୍ଦା, ଆଇଜି ସିଆରପିଏଫ୍‌ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଅଛନ୍ତି।

ଏନେଇ ଆଇଜି ଅପରେଶନ ଅମିତାଭ ଠାକୁର କହିଛନ୍ତି, ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ-ପୋଲିସ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ଛତିଶଗଡ଼ର ମହିଳା ମାଓବାଦୀ କ୍ୟାଡ଼ର ନିହତ ହୋଇଛନ୍ତି । ଏହି କ୍ୟାଡ଼ର ମାଓବାଦୀଙ୍କ ମୁଣ୍ଡ ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା କରିଥିଲେ। ଦୁଇଦିନ ପୂର୍ବରୁ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ପୋଲିସକୁ ଇନପୁଟ ମିଳିଥିଲା । ଏହି ଆଧାରରେ କମ୍ବିଂ ଅପରେଶନ କରାଯାଇଥିଲା । ପୋଲିସ ପକ୍ଷରୁ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା କମିଛି ବୋଲି ଆଇଜି ଠାକୁର କହିଛନ୍ତି। ସେହିଭଳି ପଦ୍ମପୁର ଉପନିର୍ବାଚନ ଚାଲିଥିବା ବେଳେ ମାଓବାଦୀ-ପୋଲିସ ଗୁଳି ବିନିମୟ ଘଟଣାକୁ ନେଇ ପ୍ରଶ୍ନ କରାଯିବାରୁ ଏ ଦିଗରେ ସବିଶେଷ ତଦନ୍ତ ଚାଲିଛି ବୋଲି କହିଥିଲେ। ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ବାରାକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ ଏହି ସୂଚନା ଦେଇଥିଲେ ।