ଖୋଲିଲା ଗୋହିରା ଡ୍ୟାମ୍‌ର ଦୁଇ ଗେଟ୍‌

ଦେବଗଡ଼,୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଗୋହିରା ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ୨ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। ଗେଟ୍‌ ଖୋଲିବା ପୂର୍ବରୁ ବିଭାଗ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୂଚନା ଦିଆଯାଇଥିଲା। ପରେ ସାଇରନ ବଜାଯାଇ ପ୍ରଥମେ ଡ୍ୟାମର ଗୋଟିଏ ଗେଟ୍‌ ଖୋଲାଯାଇଥିଲା। ଡ୍ୟାମ୍‌ରେ ପୁଣି ପାଣି ବୃଦ୍ଧି ପାଇବାରୁ ପରବର୍ତ୍ତୀ ସମୟରେ ୨ ନମ୍ବର ଗେଟ୍‌ ଖୋଲାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଗେଟ୍‌ ଖୋଲିବା ପରେ ବନ୍ୟା ଜଳ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।