ଦୁଇଭାଇଙ୍କ କିଚେନ ଗାର୍ଡେନ ଆପଣେଇଛନ୍ତି ଜୈବିକ ପଦ୍ଧତି

ଆନନ୍ଦପୁର, ୨୯।୧୨(ସ୍ବ.ପ୍ର.)-ଘର ଛାତ ଉପରେ ଜୈବିକ ପଦ୍ଧତିରେ ପନିପରିବା ଚାଷ ସାଙ୍ଗକୁ ନାନା ଜାତିର ଫୁଲ, ଫଳ ବଗିଚା ଯେ କେହି ବି ଦେଖିବ ତାର ଆଖି ଖୋସି ହୋଇଯିବ। ଏଭଳି ନିଆରା ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭଣ୍ଡାରିଡିହା ଗ୍ରାମର ଦେବାଶିଷ ପଣ୍ଡା। ପେଶାରେ ସେ ଜଣେ ଶିକ୍ଷକ। ନିଶା ତାଙ୍କର ବୃକ୍ଷରୋପଣ। ଚାଷକାମରେ ସାହାଯ୍ୟ କରନ୍ତି ତାଙ୍କ ସାନଭାଇ ଦେବିଦାସ। ଦେବିଦାସ ମଧ୍ୟ ପେଶାରେ ଜଣେ କ୍ରୀଡାଶିକ୍ଷକ। ସେମାନେ ବ୍ରୋକଲି, ଶାଗ, ଗାଜର, ବିଟ୍‌, ବାଇଗଣ, ବିଲାତି, ଧାନ, ଭେଣ୍ଡି, କୋବି, ଝୁଡଙ୍ଗ, କାକୁଡି ଆଦି ପନିପରିବା ସହିତ ସେଓ, ଅଙ୍ଗୁର, ଡାଲଚିନ୍‌, ତେଜପତ୍ର, କରମଙ୍ଗା, ଅମୃତଭଣ୍ଡା, ଲେମ୍ବୁ , କମଳା ଭଳି ଅନେକ ଚାଷ କରି ବେକାର ଯୁବତୀଯୁବକଙ୍କ ଲାଗି ଉଦାହରଣ ସାଜିଛନ୍ତି। ଦେବାଶିଷ ନିଜ ରୋଷେଇ ଘର ପରିବା ଯୋଗାଇବାକୁ ସକ୍ଷମ ବୋଲି ତାଙ୍କ ବାପା ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଓ ମା’ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅହଲ୍ୟା ସେନାପତି ପ୍ରକାଶ କରିଛନ୍ତି।
ଦେବାଶିଷ ଛୋଟବେଳୁ ଉତ୍ସାହୀ ଓ ଉଦ୍ୟମୀ ଥିଲେ। ଭାରାକ୍ରାନ୍ତ ଜୀବନକୁ ଟିକିଏ ହାଲ୍‌କା କରିବା ପାଇଁ ସେ ଅବସର ସମୟରେ ଚାରାରୋପଣ କରିଥାନ୍ତି। ନାନା କିସମର ଫଳ, ଫୁଲ ଗଛ ଲଗାଇ ଦେବାଶିଷ ଖୁସି ଅନୁଭବ କରିଥାନ୍ତି। ଦୁଇ ଭାଇ ବିଭିନ୍ନ ଜୈବିକ ପଦ୍ଧତିରେ ପନିପରିବା ଚାଷ ସହ ଛାତ ଉପରେ କୁଣ୍ଡ ଓ ଅନ୍ୟାନ୍ୟ ସୋଲ ତିଆରି ଶଯ୍ୟା କରି ସଫଳତା ହାସଲ କରିପାରିଛନ୍ତି। କରୋନା ଭଳି ମହାମାରୀ ସମୟରେ ସେମାନେ ଏଭଳି ପ୍ରୟାସ କରିଛନ୍ତି। ବାସ୍ତବିକ କୃଷିର ଉନ୍ନତି ହେଲେ କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲାରେ ଅନେକ ଆତ୍ମନିର୍ଭରଶୀଳ ହେଇପାରିବେ ବୋଲି ସେମାନେ ଅନୁଭବ କରିଛନ୍ତି। ସବୁଜ ସାର, କମ୍ପୋଷ୍ଟ ଖତ, ଜୈବିକ ପଦ୍ଧତିରେ ଚାଷ ନିଶ୍ଚିତ ଭାବେ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ଓ ଶରୀର ପାଇଁ ବେଶ୍‌ ଲାଭଦାୟକ। ଦେବାଶିଷ ନିଜ ନିତ୍ୟକର୍ମ ସାରି କର୍ମକ୍ଷେତ୍ରରୁ ଫେରିବା ପରେ ବାକି ସମୟରେ ଏହି ଉଦ୍ୟମ ବଜାୟ ରଖିଛନ୍ତି। ପ୍ରତିଦିନ ସକାଳୁ ଉଠି ଚାରାରେ ପାଣି ଦେବା ତାଙ୍କର ଦୈନିକ କର୍ତ୍ତବ୍ୟରେ ପରିଣତ ହୋଇଛି। ଦୁଇଭାଇ ରାସ୍ତାର ଦୁଇ ପାର୍ଶ୍ୱରେ ଶାଗୁଆନ, ପିଆଶାଳ ଓ କଦମ୍ବ ଭଳି ଚାରା ରୋପଣ କରି ତାର ଯତ୍ନ ନେଇଥାନ୍ତି।
ଫଟୋ