ଗାଧୋଇବାକୁ ଯାଇ ବୁଡି ଗଲେ ଦୁଇ ଭାଇ

ପାରାଦୀପ ଅଫିସ,୧୪।୪: ପଣା ସଂକ୍ରାନ୍ତିରେ ଅଘଟଣ। ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଗଲେ ଦୁଇ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲା କୁଜଙ୍ଗର ପଥୁରିଆ ଗାଁରେ। ସେମାନେ ହେଲେ ଗଣେଶ୍ୱର ସାହୁ ଓ ରାଜେନ୍ଦ୍ର ସାହୁ।
ଗଣେଶ୍ୱର ଓ ରାଜେନ୍ଦ୍ର ସ୍ଥାନୀୟ ଯୁକ୍ତ ଦୁଇ କଲେଜର ଛାତ୍ର ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାନୁସାରେ, ପଥୁରିଆ ଗାଁର ଚାରି ଜଣ ସାଙ୍ଗ ଗୁରୁବାର ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗଣେଶ ଓ ରାଜେନ୍ଦ୍ର ଗାଧୋଉ ଥିବା ବେଳେ ଅନ୍ୟ ଦୁଇ ଜଣ ନଦୀ ପଠାରେ ବସିଥିଲେ। ସେତିକି ବେଳେ ଗଣେଶ ଓ ରାଜେନ୍ଦ୍ରଙ୍କ ଗୋଡ ଖସି ଯାଇଥିଲା। ସେମାନେ ବୁଡି ଯାଉଥିବା ଦେଖି ଅନ୍ୟ ଦୁଇ ଜଣ ଏ ନେଇ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ଓ ଅଗ୍ନିଶମବାହିନୀ ଆସି ଦୁଇ ଭାଇଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।