ରାଜ୍ୟରେ ପ୍ରଥମ: ରୋଗୀଙ୍କ ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

କଟକ ଅଫିସ,୧୦ା୪: କଟକସ୍ଥିତ ଏସ୍‌ସିବି ମେଡିକାଲର ସିଟିଭିଏସ୍‌ ବିଭାଗରେ ଏକ୍‌ମୋ ମେଶିନ ସହାୟତାରେ ଜଟିଳ ଅସ୍ତ୍ରୋପଚାର ଶନିବାର କରାଯାଇଛି। ଜଣେ ୨୧ ବର୍ଷୀୟ ଯୁବକଙ୍କ ଶ୍ୱାସନଳୀକୁ ବନ୍ଦ କରି ରଖିଥିବା ଏକ ଟ୍ୟୁମରକୁ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି। ରୋଗୀ ଜଣକ ହେଲେ ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡସିଂହାର ଅଞ୍ଚଳର ରିଙ୍କୁ ଲୋହରା। ଏହାଦ୍ୱାରା ଯୁବକଙ୍କ ଜୀବନ ବଞ୍ଚତ୍ୟାଇଛି। ରାଜ୍ୟରେ ଏଭଳି ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ ଏକ୍‌ମୋ ମେଶିନ୍‌ ଦ୍ୱାରା କରାଯାଇଥିବା ସିଟିଭିଏସ୍‌ ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ କହିଛନ୍ତି।
ସୂଚନା ଅନୁସାରେ, ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବାରୁ ଗତମାସ ୨୯ ତାରିଖରେ ରିଙ୍କୁ ଏସ୍‌ସିବି ମେଡିକାଲର ପଲ୍‌ମୋନାରୀ ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ। ତାଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯିବା ପରେ ଶ୍ୱାସନଳୀରେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ଏହା କେବଳ ଅସ୍ତ୍ରୋପଚାର ଦ୍ୱାରା ହିଁ ବାହାର କରାଯାଇପାରିବ ବୋଲି ଡାକ୍ତରମାନେ ନିଶ୍ଚିତ ହୋଇଥିଲେ। ଆବଶ୍ୟକ କାର୍ଯ୍ୟ ପରେ ରୋଗୀଙ୍କୁ ସିଟିଭିଏସ୍‌ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ସିଟିଭିଏସ୍‌ ବିଭାଗର ମୁଖ୍ୟ ପ୍ରଫେସର ପଟ୍ଟନାୟକ କହିଛନ୍ତି, ଶ୍ୱାସନଳୀ ବନ୍ଦ ଥିବା ହେତୁ ରୋଗୀଙ୍କୁ ଆନାସ୍ଥେସିଆ ଦେବା ଅସମ୍ଭବ ଥିଲା। ସେଥିପାଇଁ ବିକଳ୍ପ ପଦ୍ଧତିରେ ୪ ଜଣିଆ ଡାକ୍ତରୀ ଟିମ୍‌ ଦ୍ୱାରା ଅସ୍ତ୍ରୋପଚାର କରାଯିବାକୁ ସ୍ଥିର ହୋଇଥିଲା। ଶନିବାର ରୋଗୀଙ୍କୁ ପେନ୍‌ କିଲର ଦିଆଯାଇ ଛାତି କଟାଯାଇ ଏକ୍‌ମୋ ମେଶିନ୍‌ ଲଗାଯାଇଥିଲା। ଏହାଦ୍ୱାରା ରୋଗୀଙ୍କ ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଇଥିଲା। ତାଙ୍କୁ ଏକ୍‌ମୋ ଚିକିତ୍ସାରେ ଗୋଟିଏ ଦିନ ରଖିବା ପରେ ରବିବାର ଏକ୍‌ମୋ ମେଶିନ୍‌ ଅପସାରଣ କରାଯାଇଥିଲା। ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ସେ ଆରୋଗ୍ୟ ହେବା ନିମନ୍ତେ ଆହୁରି ୫ ଦିନ ଲାଗିବ। ସେ ଏବେ ବିପଦମୁକ୍ତ ଓ ସୁସ୍ଥ ଥିବା ଡା. ପଟ୍ଟନାୟକ କହିଛନ୍ତି। ସିଟିଭିଏସ୍‌ ବିଭାଗୀୟ ମୁଖ୍ୟ ପ୍ରଫେସର ପଟ୍ଟନାୟକଙ୍କ ସମେତ ଆସିଷ୍ଟାଣ୍ଟ ପ୍ରଫେସର ଡା. ଚିତ୍ତରଞ୍ଜନ ଥାଟୋଇ, ଏକ୍‌ମୋ ବିଶେଷଜ୍ଞ ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବାଶିଷ ପାଢ଼ୀ ଓ ଆସିଷ୍ଟାଣ୍ଟ ପ୍ରଫେସର ଡା. ସୁବ୍ରତ ନାୟକ ଅସ୍ତ୍ରୋପଚାର କରିଥିଲେ।