ହୋମ୍‌ଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର/ଆନନ୍ଦପୁର, ୧୭ା୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଧୀନ ଦେଓଗାଁ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଜଣେ ହୋମଗାର୍ଡଙ୍କ ଉପରେ ମାଡିଯାଇଥିଲା। ଦୁର୍ଘଟଣା ଏଭଳି ବୀଭତ୍ସ ଥିଲା ଯେ, ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରାସ୍ତାରେ ଛିଟିକି ପଡିଥିଲା। ଏହି ଘଟଣା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ ବିକ୍ରମ ଭୂୟାଁ କହିଛନ୍ତି। ମୃତ ହୋମଗାର୍ଡ଼ ହେଲେ ଘଷିପୁରା ବ୍ଲକ ଅଧୀନ ତରିମୂଳ ଗ୍ରାମର ସୁରେଶ ରାଉତ (୪୮)। ସେ ଘଷିପୁରା ଥାନାରେ କାର୍ଯ୍ୟ କରୁଥିଲେ। ସେ ଡ୍ୟୁଟିରେ ଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଥାନା ଅଧିକାରୀ ଭୂୟଁା କହିଛନ୍ତି। ସୂଚନା ଅନୁଯାୟୀ, ସବୁଦିନ ଭଳି ସେ ଦେଓଗାଁ ବଜାର ବ୍ରିଜ ନିକଟରେ ଡ୍ୟୁଟି କରୁଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଏକ ଲୁହାପଥର ବୋଝେଇ ଟ୍ରକ ଚାପି ଦେଇ ପଳାଇଥିଲା। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ଆନନ୍ଦପୁର ଉପଖଣ୍ଡ ମେଡିକାଲକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଥାନା ପକ୍ଷରୁ ମାମଲା (ନଂ.୪୬/୨୩) ରୁଜୁ ହୋଇଛି। ଟ୍ରକ୍‌କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷେ ସମ୍ପୃକ୍ତ ଅଞ୍ଚଳ ଦେଇ ଲୁହାପଥର ବୋଝେଇ ଯାନ ଯିବାର କୌଣସି ବ୍ୟବସ୍ଥା ନାହିଁ। କେଉଁ ପରିସ୍ଥିତିରେ ଏହି ଯାନ ସେଇ ପଥରେ ଆସିଥିଲା ତାହା ତଦନ୍ତସାପେକ୍ଷ।