ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଟ୍ରକ, ଜଣଙ୍କ ଜୀବନ ଗଲା; ୨ ଗୁରୁତର

ରସୁଲପୁର,୪ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତର ଓଡ଼ଙ୍ଗ ଠାରେ ଶୁକ୍ରବାର ଭୋର୍‌ ସମୟରେ ୧୬ନଂ ଜାତୀୟ ରାଜପଥ ଉପରେ ବସୁଥିବା ଦୈନିକ ପରିବା ହାଟରେ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ ସ୍ଥାନୀୟ ପ୍ରଥମାଖଣ୍ଡି ପଞ୍ଚାୟତର ଅଶୋକ ସେଠୀ(୩୨) ନାମକ ଜଣେ ଚାଷୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆଉ ୩ ଜଣେ ଚାଷୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ କୁଆଖିଆ ଥାନା ସିଂହପୂର ପଞ୍ଚାୟତ ସରବଣା ଗ୍ରାମର ବିଭୀଷଣ ଦାସ(୬୫) ଓ ଢେଙ୍କାନାଳ ଜିଲା ପିଙ୍ଗୁଆ ଅଞ୍ଚଳର କୃଷି ବ୍ୟବସାୟୀ ବୀର ସାହୁ(୩୫) ବୋଲି ଜଣାପଡ଼ିଛି। ଉଭୟଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କଟକ ସ୍ଥାନାନ୍ତର ହୋଇଛନ୍ତି। ସେହିପରି କରଞ୍ଜିଆରୀ ଗ୍ରାମର ଅଶୋକ ସ୍ବାଇଁ(୨୩) ଆହତ ହୋଇ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, କୁଆଖିଆରୁ ଜାରକା ଆଡ଼କୁ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଓଆର-୦୯-ପି- ୫୭୪୬କୁ ଅନ୍ୟ ଏକ ଟ୍ରକ ଡବ୍ଲୁ ବି-୬୭ ଏ-୩୫୫୬ ଓଭର ଟେକ୍‌ କରୁଥିବା ସମୟରେ ଟ୍ରକଟି ରାସ୍ତାକଡ଼ରେ କାରବାରରେ ବ୍ୟସ୍ତ ଥିବା ଚାଷୀମାନକୁ ଧକ୍କା ଦେଇଥିଲା। ଟ୍ରକ ଚାଷୀଙ୍କୁ ଧକ୍କା ଦେବା ପୂର୍ବରୁ ଲୁହାପଥର ବୋଝେଇ ଟ୍ରକକୁ ପଛରୁ ପିଟିଥିଲା। ଉଭୟ ଟ୍ରକର ଚାଳକ ଦ୍ୱୟ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇବାରୁ ଗାଡ଼ି ଚଳାଚଳରେ ବାଧା ଉପୁଜିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା।