ବସ୍‌ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୩ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍‌ ଝାରସୁଗୁଡ଼ାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା। ରେଢ଼ାଖୋଲ ଓ କିଶୋରନଗର ମଝିରେ ଥିବା ବରଗାପାଲିରେ ନିକଟରେ ବସ୍‌ର ଚକା ପଙ୍କଚର ହୋଇଯାଇଥିଲା। ଏହାପରେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଗାଡ଼ି ମରାମତି କାମ ଚାଲିଥିବା ସମୟରେ କିଛି ଯାତ୍ରୀ ଶୌଚ ହେବା ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି କେତେକ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ କିଶୋରନଗର ଓ ଅନ୍ୟ ୩ ଜଣଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ରେଢାଖୋଲରେ ଦୁଇ ଜଣ ଓ କିଶୋରନଗରରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ମଧ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩ ମୃତକ ହେଲେ ଘନଶ୍ୟାମ ବାରିକ (ବ୍ରଜରାଜନଗର), ଆନନ୍ଦ ପ୍ରଧାନ (ସୁନ୍ଦରଗଡ଼) ଏବଂ ନୟନ କୁମାର ନାଏକ (ଲାଇକେରା, ଝାରସୁଗୁଡ଼ା। ଖବର ପାଇ କିଶୋରନଗର ପୋଲିସ ଘଟଣାର ତଦନ୍ତ କରୁଛି। ଏପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।