ବିଭିନ୍ନ ସ୍ଥାନରେ ଉଡ଼ିଲା ତ୍ରିରଙ୍ଗା

ଜଟଣୀ,୧୫।୮(ଡି.ଏନ୍‌.ଏ): ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ(ଜଟଣୀ) ପକ୍ଷରୁ ରବିବାର ପୂର୍ବାହ୍ନରେ କୋଭିଡ୍‌ କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମଣ୍ଡଳ କାର୍ମିକ ଅଧିକାରୀ ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ପତାକା ଉତ୍ତୋଳନ ଉତ୍ସବରେ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ପ୍ରବନ୍ଧକ ରିଙ୍କେଶ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ରେଳମଣ୍ଡଳର ସଫଳତାରେ ଭାଗୀଦାରି ସମସ୍ତ ବିଭାଗକୁ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ରେଳ ପ୍ରବନ୍ଧକ ଅଶୋକ କୁମାର ଏବଂ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ।

ଜଟଣୀ କୋର୍ଟ ପରିସରରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜଟଣୀ କୋର୍ଟର ନ୍ୟାୟାଧୀଶ ଧ୍ରୁବି ଶୋଲାଙ୍କୀ ପତାକା ଉତ୍ତୋଳନ କରିଥିଲେ  । ଏହି ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ କୋର୍ଟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା। ପତାକା ଉତ୍ତୋଳନରେ ଜଟଣୀ କୋର୍ଟର ସମସ୍ତ କର୍ମଚାରୀଙ୍କ ସହିତ ଜଟଣୀ ବାର୍‌ ଆସୋସିଏଶନ ଏବଂ ଲୟର୍ସ ଆସୋସିଏଶନ୍‌ର ଅଧିବକ୍ତା ଉପସ୍ଥିତ ରହିଥିଲେ।

ଜଟଣୀ ଅରଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟି ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଆଇଆଇଟି ଭୁବନେଶ୍ୱର ଡାଇରେକ୍ଟର ଆର୍‌.ଭି. ରାଜକୁମାର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଭି.ଆର୍‌. ପେଡିରେଡୀ, ପ୍ରଭାସ ରଞ୍ଜନ ସାହୁ, କୁଳସଚିବ ଦେବରାଜ ରଥ, ଡ.ଶାନ୍ତନୁ ପାଳ, ଡ.ଶ୍ରୀକାନ୍ତ ଗୋଲାପୁଡି ପ୍ରମୁଖ ଉପସ୍ଥିତ ଥିଲେ। ଡ. ବଙ୍କିମ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।