Categories: ଜାତୀୟ

ଓଡ଼ିଶା, ଛତିଶଗଡ଼କୁ ସାକ୍ଷୀ ତାଲିକା ମାଗିଲେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ, ୧୯।୧୨: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ସାକ୍ଷୀ ତାଲିକା ଆସନ୍ତା ୨ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଶନିବାର ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌.ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ବିଚାରପତି ଇନ୍ଦରମିତ୍‌ କୌର ଏବଂ ରବି ରଞ୍ଜନଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ସତ୍ୟପାଠ ମାଧ୍ୟମରେ ସାକ୍ଷୀମାନଙ୍କ ତାଲିକା ପ୍ରଦାନ କରିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୫ତାରିଖକୁ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ଓ ଛତିଶଗଡ଼ର ମହାନଦୀ ଅବବାହିକା ସମ୍ପର୍କିତ ଦଲିଲ ଓ ନଥି ଯୋଗାଇଦେବାକୁ ଉଭୟ ରାଜ୍ୟ ପକ୍ଷରୁ ପୂର୍ବରୁ ବହୁବାର ଅନୁରୋଧ କରାଯାଇଥିଲେ ସୁଦ୍ଧା କେନ୍ଦ୍ରୀୟ ସଂସ୍ଥା କିଛି ପଦକ୍ଷେପ ନେଉନାହାନ୍ତି। ତେଣୁ କେନ୍ଦ୍ରୀୟ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ଅକ୍ଟୋବର ୨୩ରେ ଉଭୟ ରାଜ୍ୟ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିଥିଲେ। ଟ୍ରିବ୍ୟୁନାଲ୍‌ ମଧ୍ୟ ଉଭୟ ରାଜ୍ୟ ଆବଶ୍ୟକ କରୁଥିବା ଦଲିଲ ଯୋଗାଇଦେବାକୁ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ମହାନଦୀ ଜଳ ବାଣ୍ଟନ ନେଇ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଓଡ଼ିଶାର ଆବେଦନ ଅନୁସାରେ ଛତିଶଗଡ଼ ଉପରମୁଣ୍ଡରେ ରହିଥିବା କାରଣରୁ ମନଇଚ୍ଛା ଏକାଧିକ ବ୍ୟାରେଜ ନିର୍ମାଣ କରି ଓଡ଼ିଶାକୁ ଜଳ ପ୍ରବାହରେ ବାଧା ସୃଷ୍ଟି କରୁଛି। ତେଣୁ ମହାନଦୀ ଉପରେ ଛତିଶଗଡ଼ କରୁଥିବା ବ୍ୟାରେଜ୍‌ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବା ସହ ନଭେମ୍ବରରୁ ମେ’ମାସ ଅଣମୌସୁମୀ ସମୟରେ ଜଳର ନିର୍ଦ୍ଦିଷ୍ଟ ପ୍ରବାହକୁ ବଜାୟ ରଖିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରାଯାଇଛି।

Share