ରାୟଗଡ଼ାରେ ଉଡ଼ିଲା ତ୍ରିରଙ୍ଗା

ରାୟଗଡ଼ା ଅଫିସ,୧୫।୮ ରାୟଗଡ଼ାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ପଡ଼ିଆଠାରେ ନିରାଡମ୍ବର ଭାବେ ଆଜି ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। କରୋନା କଟକଣା ଦୃଷ୍ଟିରେ ରଖି କୌଣସି ପରେଡ ଆୟୋଜନ ହୋଇ ନ ଥିଲା। ଏହି ଅବସରରେ ଜିଲାପାଳ ନିଜର ବକ୍ତବ୍ୟରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇ ଅବଦାନ ଅତୁଳନୀୟ ବୋଲି କହିଥିଲେ l ସେହିଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା। ସ୍ବାସ୍ଥ୍ୟକର୍ମୀ ଏବଂ ସୁରକ୍ଷାକର୍ମୀମାନଙ୍କୁ ସମ୍ମାନିତ କରାଯାଇଛି। ସେହିପରି କରୋନା ଛୁଇଁ ନ ଥିବା ଗୁଣପୁର ବ୍ଲକ ଆବଡ଼ା ପଞ୍ଚାୟତ ସରପଞ୍ଚ ମଧ୍ୟ ସମ୍ମାନିତ ହୋଇଥିଲେ। ଏହା ଛଡ଼ା ସୀମିତ ବ୍ୟକ୍ତିଙ୍କୁ ନେଇ ପାଳିତ ହୋଇଛି ଏହି ଦିବସ। ଏହି ଅବସରରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ସହ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମଞ୍ଚରେ ଉପସ୍ଥିତ ଥିବା ବେଳେ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।