ଝାଉଁଳି ଗଲାଣି ଦାମିକିଆ ଗଛ

ରାଉରକେଲା,୨୪।୬(ବିପ୍ଲବ ରଞ୍ଜନ ଦାଶ): ପୁରୁଷ ହକି ବିଶ୍ୱକପ୍‌ ସମୟରେ ରାଉରକେଲା ସହରର ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ବିଭିନ୍ନ ଛକରେ ଦାମିକିଆ ଗଛ ଲଗାଯାଇଥିଲା। ତେବେ ରକ୍ଷଣାବେକ୍ଷର ଅଭାବରୁ ସେହି ଗଛସବୁ ଝାଉଁଳି ଯାଇଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ, ହକି ବିଶ୍ୱ କପ୍‌ ପୂର୍ବରୁ ରାଉରକେଲା ସହରର ମୁଖ୍ୟରାସ୍ତା ମାନଙ୍କରେ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଚିତ୍ରବିଚିତ୍ର ସହ ଅନେକ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା। ଏଥିସହ ସହରର ମୁଖ୍ୟରାସ୍ତା ଡିଭାଇଡରକୁଡିକୁ ସବୁଜ ସୁନ୍ଦର କରିବା ପାଇଁ କଟକର ଏକ ସଂସ୍ଥା ଦ୍ୱାରା ଶହ ଶହ ଦାମିକିଆ ଫକ୍ସ ଟେଲ ପାମ୍‌ ବୃକ୍ଷ ରୋପଣ କରାଗଲା। ସହରର ଛେଣ୍ଡ ଛକରୁ ବିଏସଏନ୍‌ଏଲ ଛକ, ବିଜୁ ପଟ୍ଟନାୟକ ଛକ ରାସ୍ତା, ଉଦିତନଗର ଛକରୁ ପାନପୋଷ ଛକ, ବିଶ୍ରା ଛକ୍‌ରୁ ହକି ଛକ ଏବଂ ସିଭିଲ ଟାଉନଶିପ୍‌ ରାସ୍ତାରୁ ବ୍ରାଞ୍ଚ ରୋଡରେ ଏହି ବୃକ୍ଷ ଲଗାଯାଇଥିଲା। କିଛି ମାସ ଧରି ବୃକ୍ଷ ଗୁଡିକର ଖୁବ୍‌ ଯତ୍ନ ନିଆଗଲା। ମାତ୍ର ହକି ବିଶ୍ୱକପ୍‌ ପରେ ଯତ୍ନ ଅଭାବରୁ ଦାମକିଆ ବୃକ୍ଷଗୁଡିକ ଝାଉଁଳି ଗଲାଣି। କିଛି ସ୍ଥାନରେ ପାଣି ଅଭାବରୁ ବୃକ୍ଷଗୁଡିକ ମରିବାକୁ ବସିଲାଣି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆରଏମସି ପକ୍ଷରୁ ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏ ନେଇ ଆର୍‌ଏମ୍‌ସି କମିଶନର ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ସହରର ମୁଖ୍ୟ ରାସ୍ତାରେ ଲଗାଯାଇଥିବା ଫକ୍ସ ଟେଲ ପାମ୍‌ ବୃକ୍ଷଗୁଡିକର ଠିକ୍‌ଭାବେ ରକ୍ଷଣାବେକ୍ଷଣ ସହ ଯତ୍ନ ନିଆଯାଉଛି। ଏଥିସହ ଆବଶ୍ୟକ ମୁତାବକ ପାଣି ସିଞ୍ଚନ ମଧ୍ୟ କରାଯାଉଛି। ମାତ୍ର ପରିବେଶଗତ ସମସ୍ୟା ଯୋଗୁ ସହରର କେତେକ ମୁଖ୍ୟ ରାସ୍ତା ଡିଭାଇଡରରେ ଗଛଗୁଡିକ ଝାଉଁଳି ପଡୁଥିବା ସେ କହିଥିଲେ। ଏ ସମ୍ପର୍କରେ ଛେଣ୍ଡ ଅଞ୍ଚଳର ପରିବେଶପ୍ରେମୀ ଜ୍ୟୋତିରଞ୍ଜନ ପଧାନ କହିଛନ୍ତି, ପୁରୁଷ ହକି ବିଶ୍ୱକପ ସମୟରେ ଆରଏମସି ପକ୍ଷରୁ ଛେଣ୍ଡ ଛକରୁ ବିଜୁ ପଟ୍ଟନାୟକ ଛକ ରାସ୍ତାରେ ବହୁ ଦାମିକିଆ ବୃକ୍ଷ ରୋପଣ ହୋଇଥିଲା। ମାତ୍ର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହି ବୃକ୍ଷମାନ ମରିବାକୁ ବସିଲାଣି।