୧୫ ଦିନ ହେବ ଟ୍ରାନ୍ସଫର୍ମର ଅଚଳ, ଅନ୍ଧାରରେ ଉପଭୋକ୍ତା

କୋକସରା,୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତର କରାଡଙ୍ଗରୀପଡ଼ା ଓ ଟେମେରା ପଞ୍ଚାୟତର ଖୁର୍ସେଲଗୁଡ଼ା ଗ୍ରାମରେ ଥିବା ବିପିଏଲ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ୧୫ ଦିନ ହେବ ପୋଡ଼ିଯାଇଛି। ଫଳରେ ଉଭୟ ଗ୍ରାମର ଉପଭୋକ୍ତା ଅନ୍ଧାରରେ ଦିନ କାଟୁଛନ୍ତି। କରାଡଙ୍ଗରୀ ପଡ଼ାରେ ୧୧୦ ଜଣ ବିପିଏଲ ବିଦ୍ୟୁତ୍‌ ଉପଭୋକ୍ତା ରହିଥିବା ବେଳେ ସେମାନଙ୍କ ପାଇଁ ମାତ୍ର ୧୦ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂଯୋଗ ରହିଥିଲା। ତେବେ ଏହି ଟ୍ରାନ୍ସଫର୍ମର ଗ୍ରୀଷ୍ମ ଋତୁ ଆରମ୍ଭରୁ ଅତ୍ୟଧିକ ମାତ୍ରାରେ ବିଦ୍ୟୁତ୍‌ ବ୍ୟବହାର ଯୋଗୁ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଫଳରେ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଛାତ୍ର୍ରୀଛାତ୍ରଙ୍କ ପରୀକ୍ଷା ଚାଲିଥିବାରୁ ପାଠପଢ଼ାରେ ମଧ୍ୟ ଅନେକ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ତେବେ ଏହି ଗାଁରେ ୧୦ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବଦଳରେ ୧୦୦ କେଭି ଟ୍ରାନ୍ସଫର୍ମର ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସେହିପରି ଟେମରା ପଞ୍ଚାୟତର ଖୁର୍ସେଲଗୁଡ଼ା ଗ୍ରାମର ବିପିଏଲ ଟ୍ରାନ୍ସଫର୍ମର ମଧ୍ୟ ଅନେକ ଦିନ ହେବ ପୋଡ଼ିଯାଇଛି। ଫଳରେ ଏଠାକାର ବିଦ୍ୟୁତ୍‌ ଉପଭୋକ୍ତାମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ଭୋଗୁଥିବା ଗ୍ରାମର ଚୌଧୁରୀ ଛତ୍ରିଆ, ଚତୁର ପାଳି, ଲେମ୍ବୁ ପାଳି, ଡମେନ ନାଗ, ଦୂତୀୟା ପାଳି, ସରସ୍ବତୀ ପୂଜାରୀ, ଶ୍ୟାମସୁନ୍ଦର ପାଳି ପ୍ରମୁଖ ପ୍ରକାଶ କରିଛନ୍ତି। ତେବେ ଏହି ୨ ଗ୍ରାମର ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ତୁରନ୍ତ ସଂଯୋଗ କରିବା ପାଇଁ ଉଭୟ ଗ୍ରାମର ଉପଭୋକ୍ତାମାନେ ଦାବି କରିଛନ୍ତି। ଏନେଇ କୁସୁମଖୁଣ୍ଟି ବିଦ୍ୟୁତ୍‌ ବିଭାଗର ସହକାରୀ ଯନ୍ତ୍ରୀ ଦୀପକ କୁମାର ସାହୁଙ୍କ ମତାମତ ନେବାରୁ ଅଧିକ ଉପଭୋକ୍ତା ଥିବା ବେଳେ ଛୋଟ ଟ୍ରାନ୍ସଫର୍ମର ଲାଗିଥିବାରୁ ବାରମ୍ବାର ପୋଡ଼ି ଯାଉଛି। ଦିନେ ଦୁଇ ଦିନ ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରି ଦିଆଯିବ ବୋଲି କହିଛନ୍ତି।