ପାହାଡ଼ରେ ବସିଲା ଟାୱାର

ଖଇରା,୧୪।୬ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡ଼ର ୧୬.୫ବର୍ଗ କିମି ଅଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବାକୁ ଓ ହାତୀ ଆକ୍ରମଣରୁ ପାହାଡ଼ତଳି ବସ୍ତିବାସିନ୍ଦାକୁ ସୁରକ୍ଷା ଦେବାକୁ ବଡ଼ବିଲ ଗ୍ରାମ ନିକଟସ୍ଥ ପାହାଡ଼ରେ ଏକ ଟାୱାର ପ୍ରତିଷ୍ଠା କରାଯାଇଛି। ଉକ୍ତ ଟାୱାର କାର୍ଯ୍ୟକ୍ଷମ ହେବା ପରେ ଭୟରେ ଦିନ କାଟୁଥିବା ୫ ପଞ୍ଚାୟତବାସୀଙ୍କୁ ସାମାନ୍ୟ ଆଶ୍ୱସ୍ଥି ମିଳିଛ। ୧୦ବର୍ଷ ମଧ୍ୟରେ ହାତୀପଲ ପାହାଡ଼ ସଂଲଗ୍ନ ବିଭିନ୍ନ ଗ୍ରାମକୁ ପଶିଆସି ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟାଇ ଚାଲିଥିବାରୁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇ ଆସୁଥିଲା। ବନବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଅନୁଧ୍ୟାନ କରାଯିବା ସହ ଆଗୁଆ ସତର୍କ ସୂଚନା ପାଇଁ ଉକ୍ତ ଟାୱାର ବସାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଜାନୁଆରୀ ମାସରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ନିକଟରେ ଶେଷ ହେବା ସହ କାର୍ଯ୍ୟକ୍ଷମ ମଧ୍ୟ ହୋଇଛି। ଏଥିପାଇଁ ୨୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏ ସମ୍ପର୍କରେ ରେଞ୍ଜର ବବିତା ସୋରେନଙ୍କୁ ପଚାରିବାରୁ ଟାଓ୍ବାର ପ୍ରତିଷ୍ଠା ହେବା ଦ୍ୱାରା ହାତୀମାନଙ୍କର ଗତିବିଧି ଜାଣିବା ସହ ବନ୍ୟଜନ୍ତୁ ଶିକାରୀମାନଙ୍କୁ ଠାବକରି ସେମାନଙ୍କୁ ଧରାଯାଇପାରିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨ବର୍ଷ ତଳେ ହାତୀ ଆକ୍ରମଣରେ କୁଟୀରପାଳ ଗ୍ରାମର ଜଟିଆ ନାଇକି ଓ କିଛି ଦିନ ତଳେ କଇଥଗଡ଼ିଆ ଗ୍ରାମର ସୋମବାରୀ ସିଂ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ଏନେଇ ପାହାଡ଼ ତଳି ଅଞ୍ଚଳ ବାସିନ୍ଦା ଭୟରେ ଜୀବନ ବିତାଉଛନ୍ତି ା