Categories: ଜାତୀୟ

କଂଗ୍ରେସର ମଜାକ୍‌ ଉଡାଇଲା ଟିଏମ୍‌ସି

କୋଲକତା,୨୦।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବା ପାଇଁ କଂଗ୍ରେସ ଦଳ ଘୋଷଣା କରିଛି। କଂଗ୍ରେସର ଏଭଳି ନିଷ୍ପତ୍ତିକୁ ତୃଣମୂଳ କଗ୍ରେସ(ଟିଏମ୍‌ସି)ଉପହାସ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଘୋଷଣା କରିଛନ୍ତି, ତାଙ୍କ ଦଳ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ ଦେବ।
ଟିଏମ୍‌ସି ପକ୍ଷରୁ ଟୁଇଟ ଯୋଗେ କୁହାଯାଇଛି ଯେ, ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଗ୍ରେସ ଦେଶର ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣକୁ ଅଧିକ ପ୍ରାଥମିକତା ଦେଇଛି। ଟିଏମ୍‌ସି ପ୍ରଥମ ଦଳ ଯିଏକି ଲୋକସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଆସନ ଦେଇଥିଲା। ଏଭଳି କଠିନ ସମୟରେ କଂଗ୍ରେସ ଆମ ନୀତି ଅନୁକରଣ କରିବାକୁ ଚେଷ୍ଟା କରୁଛି ଏବଂ ଆମେ ଆଶା କରୁଛୁ ଏହା କେବଳ କଥାରେ ନୁହେଁ, ବାସ୍ତବରେ କରାଯିବ। ଯଦି ସେମାନେ ଏହାକୁ ଗମ୍ଭୀରତାର ସହ ନିଅନ୍ତି ତେବେ ସେମାନେ ଉତ୍ତରପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରେ ମହିଳାମାନଙ୍କୁ ୪୦ ପ୍ରତିଶତ ସିଟ ଦେବା ଉଚିତ୍‌ ବୋଲି ଟିଏମ୍‌ସି ପକ୍ଷରୁ କୁହାଯାଇଛି।
ମମତା ବାନାର୍ଜୀ ନେତୃତ୍ୱାଧୀନ ଦଳର ସମାଲୋଚନା ଏପରି ଏକ ସମୟରେ ଆସିଛି ଯେତେବେଳେ ଉଭୟ କଂଗ୍ରେସ ଏବଂ ଟିଏମସି ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀ ଦଳର ନେତୃତ୍ୱ ନେବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ରାଜନୀତିରେ ମହିଳା ସଶକ୍ତିକରଣ ବିଷୟରେ ଦଳ ତୃଣମୂଳ କଂଗ୍ରେସରୁ ଶିଖିବା ଆବଶ୍ୟକ ନାହିଁ। ଟିଏମ୍‌ସି କଂଗ୍ରେସକୁ ଅନୁକରଣ କରିବାକୁ ଚେଷ୍ଟା କରୁଛି ଏବଂ ଆମର ନେତାମାନଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

 

Share