ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି ନିଜ ଘରର ସୁଖ ଦେଇ ପାରିବ ନାହିଁ। ବୃଦ୍ଧାବସ୍ଥାରେ ସନ୍ତାନ ନିଜ ମାତାପିତାଙ୍କୁ ଘରୁ ବାହାର କରିଦେବା କାର୍ଯ୍ୟକୁ ଏକ କ୍ରାଇମ୍‌ (ଅପରାଧ)ଭାବେ ଆଇନ ଗ୍ରହଣ କରିବା କଥା। ଯେଉଁ ମାତାପିତାମାନେ ଘରେ ବି ରୁହନ୍ତି, ସେମାନେ ଅଶାନ୍ତି ଓ ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହିବାକୁ ଯାଇ ନିରୋଳାରେ ଲୋତକ ଗଡ଼ାନ୍ତି। ରୋଗ ପାଇଁ ପଇସା ଖର୍ଚ୍ଚ ହେଉ କି ଘରକୁ ପଇସା ଦେବା କଥା ହେଉ, ସବୁଥିରେ ନାନାଦି କଥା ଶୁଣିବାକୁ ପଡ଼େ ମା’ବାପାଙ୍କୁ। ଏମିତି ଅନେକ କଥା ଭୋଗିବାକୁ ପଡ଼େ ବୃଦ୍ଧାବସ୍ଥାରେ।
ବୃଦ୍ଧାବସ୍ଥାରେ ଏମିତି ଅସହାୟତା କାହିଁକି ଆସେ ଓ ଏଥିପାଇଁ ଦାୟୀ କିଏ ? ଏ କଥା ଆମେ କ’ଣ କେବେ ଚିନ୍ତା କରିଛୁ ନା ଗଭୀର ଭାବେ ଅନୁଧ୍ୟାନ କରିଛୁ ? ବୋଧହୁଏ ଠିକ୍‌ ଭାବେ ଏହି ଅବସ୍ଥାକୁ ଅନୁଶୀଳନ କରିନୁ। କେବଳ ଭାଗ୍ୟ ଦୋଷ ଉପରେ ଛାଡ଼ି ଦେଇ ନିଜ ନିଜର କଠୋର କର୍ତ୍ତବ୍ୟ ନିକଟରୁ ଦୂରେଇ ଯାଇଛୁ ଓ ଯାଉଛୁ ମଧ୍ୟ। ପ୍ରଥମ କଥା ହେଲା ସନ୍ତାନଟି ମା’ବାପାଙ୍କର ଜିନ୍‌ ନେଇ ଜନ୍ମ ନିଏ। ଏଣୁ ଏହି ଜିନ୍‌ର ଅନୁରୂପ ପରିପ୍ରକାଶ ଘଟିବ। ଯେଉଁ ମଞ୍ଜି ପୋତାଯାଇଥାଏ ସେହି ଗଛ ଉଠେ। ଆମ୍ବ ଗଛରେ ଆମ୍ବଡ଼ା ଫଳେନି। ତେଣୁ ମା’ବାପାଙ୍କର ଗୁଣବତ୍ତା ହେଉଛି ସନ୍ତାନର ମୂଳ ଉତ୍ସ। ଦ୍ୱିତୀୟ କଥା ହେଲା ସନ୍ତାନଟି ପରିବେଶରୁ ସମସ୍ତ ଗୁଣ ଓ କାର୍ଯ୍ୟକଳାପ ଆହରଣ କରେ। ମାତାପିତାଙ୍କ ଗୁଣ ସହ ପରିବେଶର ପ୍ରଭାବର ସମସ୍ତ ଚେନତାନକୁ ବହନ କରି ସନ୍ତାନଟି ବଡ଼ହୁଏ। ତେଣୁ ଆମେ ଯେମିିତି ପରିବେଶ ପ୍ରଦାନ କରିବା ପିଲାଟି ସେମିତି ତିଆରି ହେବ। ଆମ ଅଜାଣତରେ ଆମର ସମସ୍ତ କୁ ଓ ସୁ କାର୍ଯ୍ୟକୁ ପିଲାଟି ଅନୁକରଣ କରୁଥାଏ। ଆମେ ଛୋଟ ପିଲାଟି କିଛି ଜାଣୁନି, ବୁଝୁନି ଭାବି ତା’ ସମ୍ମୁଖରେ ଆମେ ଆମର ମନ୍ଦ କର୍ମ କରିଥାଉ। ଏତିକି ମନେରଖିବା ଦରକାର ପିଲାଟି ମା’ ପେଟରୁ ଭୂମିଷ୍ଠ ହେଲା ପରେ ସେ ତା’ର ଚତୁଃପାର୍ଶ୍ୱକୁ ଦେଖିବା ଓ ଅନୁକରଣ କରିବା ଆରମ୍ଭ କରିଦେଇଥାଏ। ଆମର ପ୍ରତ୍ୟେକଟି କାର୍ଯ୍ୟକୁ ସେ ଦେଖେ ଓ ଶୁଣେ ଏବଂ ତାହା ତା’ର ମସ୍ତିଷ୍କ ବା ମେମୋରିରେ ଲିପିବଦ୍ଧ ହେଉଥାଏ। ଉଚ୍ଚ ସଂସ୍କାର ଓ ମାନବତା ପିଲା ତା’ ନିଜ ପରିବାରରୁ ଶିଖିଥାଏ। ଆମ ଆଚରଣ ଓ ଉଚ୍ଚାରଣ ଦୁଇଟିରେ ସେ ପ୍ରଭାବିତ ହୁଏ। ସ୍ମୃତିପଟ୍ଟରେ ଯେଉଁ ସବୁ ମନ୍ଦ ହେଉ କି ଆଦର୍ଶ ପିଲା ଜନ୍ମ କାଳରୁ ଶିଖି ଶିଖି ଯୁବାବସ୍ଥାରେ ତାହା ପାକଳ ହୋଇଯାଇଥାଏ। ସେହି ପାରିପାର୍ଶ୍ୱିକ ଶିକ୍ଷା ହିଁ ତା’ର ବ୍ୟକ୍ତିତ୍ୱକୁ ନିର୍ମାଣ ଆମ ଅଜାଣତରେ କରିସାରିଥାଏ। ଯୁବାବସ୍ଥାରେ ତା’ର ଆଚରଣରେ ଆମେ ବ୍ୟଥିତ ହେବା ଅର୍ଥହୀନ। କାରଣ ଆମ କର୍ମର ହିଁ ସେ ଏକ ପ୍ରତିଫଳନ। କହିବାକୁ ଗଲେ ”ବାପ ଯେମିତି ପୁଅ ସେମିତି।“ ସନ୍ତାନର ଆଚରଣ ବେଳେ ବାଲ୍ୟାବସ୍ଥାକୁ ଫେରିଗଲେ ଦେଖିବା ଆମର ଅବିକଳ ରୂପ।
ବୃକ୍ଷଟିର ବିଶାଳତା ପ୍ରାପ୍ତି ନିମନ୍ତେ ପରିବେଶ ଜରୁରୀ। ତେଣୁ ଆମେ ଆମର ସନ୍ତାନକୁ କେମିତି ପରିବେଶ ପ୍ରଦାନ କରିଛୁି ତାକୁ ଆତ୍ମ ଅନୁଶୀଳନ କଲେ ବୁଝାପଡ଼ିବ। ପୌଢ଼ାବସ୍ଥାରେ ଭାଗ୍ୟକୁ ଦୋଷ ଦେଇ ମୁଣ୍ଡରେ ହାତ ମାରିଲେ କିଛି ହୁଏନା। ନିଜେ ଅନୈତିକ ହୋଇ ସନ୍ତାନଠାରୁ ନୈତିକତା ଆଶା କରିବା ପାଗଳାମିର ପ୍ରଳାପ। ତେଣୁ ପ୍ରତ୍ୟେକ ମାତାପିତା ନିଜ ନିଜ ଆଚରଣକୁ ଶୁଦ୍ଧ ରଖିବା ଦ୍ୱାରା ନିଜର କଲ୍ୟାଣ ହୋଇଥାଏ। ଏଇଠି ଏକ ପ୍ରଶ୍ନ ଉଠିପାରେ ମାତାପିତା ଏମିତି ଅନୈତିକ, ଅଶୋଭନୀୟ ଆଚରଣ କାହିଁକି କରୁଛନ୍ତି ତାଙ୍କ ଶିଶୁଟିଏ ସାମ୍ନାରେ ? ସେମାନେ ବି ତାଙ୍କ ମାତାପିତା, ପରିବେଶରୁ ଶିଖିଥିବେ। ତେଣୁ ଏଠି ମାତାପିତାଙ୍କର ବା କି ଦୋଷ ? ବାସ୍ତବରେ ଆମ ସାମାଜିକ ବ୍ୟବସ୍ଥା ହିଁ ଦାୟୀ। ଆମ ବ୍ୟବସ୍ଥାରେ ମଣିଷକୁ ମଣିଷ କରିବା ପରିବର୍ତ୍ତେ ପଶୁ ତୁଲ୍ୟ କରି ରଖିବା ନିମନ୍ତେ ସମସ୍ତ ପ୍ରକାର ଅନୁକୂଳ ବାତାବରଣ ତିଆରି କରାଯାଉଛି। ଗୋଟିଏ ବ୍ୟକ୍ତିର ଅଜ୍ଞାନତା ଓ ଅମାନବିକତା ତା’ର ଶହ ଶହ ପିଢିକୁ ସଂକ୍ରମିତ କରିଥାଏ। ଭାଷଣ ଓ ପ୍ରବଚନରେ ନୈତିକ ଶିକ୍ଷା ମହଜୁଦ କିନ୍ତୁ ସାମାଜିକ, ପାରିବାରିକ ଦୈନନ୍ଦିନ ଆଚରଣରେ ଏହା ନ ଥାଏ। ଅଶ୍ଳୀଳତା, ଅନ୍ଧବିଶ୍ୱାସ, କୁସଂସ୍କାର, ପାଶବିକତା ଆମ ସାମାଜିକ ଅଭ୍ୟନ୍ତରକୁ ଏତେ ଆକ୍ରାନ୍ତ କରିଛି ଯେ ସେଥିରୁ ନିସ୍ତାର ପାଇବା କଠିନ। ଅତ୍ୟନ୍ତ ନିଷ୍ଠାବାନ୍‌ ଓ ଯତ୍ନବାନ୍‌ ମାତାପିତା ନ ହେଲେ ସନ୍ତାନ କୁପରିବେଶର ଶିକାର ହୋଇଯାଇଥାଏ। ତେଣୁ ଏ ସମାଜ ବ୍ୟବସ୍ଥା ହିଁ ଭୁଲ୍‌। ତେଣୁ ଭୁଲ୍‌ କଥା ମଣିଷକୁ ଶିଖାଇ ଏକ ଯନ୍ତ୍ର ମଣିଷ ନିର୍ମାଣ କରୁଛି। ଯନ୍ତ୍ର ମଣିଷ କାହୁଁ ବୁଝିବ ହୃଦୟର ଭାଷା, କରୁଣାର କାରୁକାର୍ଯ୍ୟ, ପ୍ରେମର ପରାକାଷ୍ଠା, ମନର ମାଧୁର୍ଯ୍ୟତା, ସମ୍ପର୍କର ସୌନ୍ଦର୍ଯ୍ୟତା। ସେଥିପାଇଁ ଆମେ ଯଦି ଏମିତି ସାମାଜିକ ଅନୈତିକତା ବିରୋଧରେ ସଂଗ୍ରାମ କରି ଏକ ସୁନ୍ଦର ସମାଜ ସ୍ବପ୍ନରେ ଆଚରଣ ଓ ଉଚ୍ଚାରଣ ସମାନ ରଖିବା ତେବେ ଆମ ଅଲକ୍ଷ୍ୟରେ ଏକ ସଂସ୍କାରୀ ସନ୍ତାନଟିଏ ଗଢି ସାରିଥିବା। ଆମେ ଯଦି ମୋର ମୋର ହୋଇ ସ୍ବାର୍ଥାନ୍ଧ ହେବା, ସମାଜ କଲ୍ୟାଣ କଥା ଭାବିବାନି ତେବେ ସନ୍ତାନଟି ଆହୁରି ସ୍ବାର୍ଥପର ହୋଇ ବାହାରିବ ସେତେବେଳେ ଯେତେ ମୁଣ୍ଡରେ ହାତ ପିଟିଲେ କିଛି ଲାଭ ହେବନି।
ଅଙ୍ଗେନିଭା କଥାଟିଏ। ମୁଁ ସମ୍ବଲପୁର ରେଳ ମଣ୍ଡଳରେ ଜନ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥାଏ। ମୋ ବସାଘର ନିକଟରେ ଛୋଟ ସାଇକେଲ୍‌ ମରାମତି ଦୋକାନଟି ଖୋଲି ରହୁଥାଏ ମୋ ମାମୁ ଗାଁର ବ୍ୟକ୍ତି ଜଣକ। ତାଙ୍କ ନିକଟରେ ବେଳେ ବେଳେ ତାଙ୍କ ବାପା ଆସି ରହୁଥାନ୍ତି। ହିସାବରେ ମୋ ବୋଉର ବଡ଼ଭାଇ। ସନ୍ଧ୍ୟା ସକାଳେ ବୋଉ ପାଖରେ ବସି ଚା, ପାନ ଖାଇଲା ବେଳେ ଲୁହଗଡ଼ାନ୍ତି। ନିଜ ପୁଅ ଓ ବୋହୂର ବ୍ୟବହାରରେ ଅତିଷ୍ଠ। ବେଳେ ବେଳେ କୁହେ ମୁଁ ଆତ୍ମହତ୍ୟା କରିଦେବି। ମୋ ବୋଉ ତାଙ୍କୁ ବୁଝାଏ। ସେ କୁହନ୍ତି – ”ତୋ ଭଳି ପୁଅଟିଏ ମୋର ଜନ୍ମ ହୋଇଥିଲେ, ମୁଁ କେତେ ଆନନ୍ଦରେ ଥାନ୍ତି। ମୋ କପାଳ ମନ୍ଦ।“ ଦେଖ ତୁମ ଘରକୁ କେତେ ବାହାର ଲୋକ ଆସୁଛନ୍ତି, ସମସ୍ତେ କେତେ ଆଦର ପାଇ ଯାଉଛନ୍ତି। କିନ୍ତୁ ମୁଁ ତ ବାପା। ନିଜ ବାପାର ଉପସ୍ଥିତି ପୁଅ ସହି ପାରୁନି ଖର୍ଚ୍ଚ ହୋଇଯିବ ବୋଲି। ମୁଁ ଦିନେ ଏମାନଙ୍କ କଥା ଶୁଣି ଦେଲି। ସିଏ ଗଲା ପରେ ମୋ ବୋଉକୁ କହିଲି – ”ତୁ କ’ଣ ଦେଖିନୁ ଏଇ ବୁଢା ତା ଯୁବାବସ୍ଥାରେ କେମିତି ଦାଣ୍ଡରେ ଲଙ୍ଗଳା ମୁକୁଳା ହୋଇ କଦର୍ଯ୍ୟ ଭାଷାରେ କଳିକରେ। ନିଜ ଭାଇମାନଙ୍କୁ କି ଅଶ୍ଳୀଳ ଭାଷା ପ୍ରୟୋଗ କରେ। ତା’ ପିଲା ତ ଶିଖିଥିବ ନା।“ ମୋ ବୋଉ କହେ- ତା’ କର୍ମ ଯେମିତି ଫଳ ଭୋଗୁଛି ସେମିତି, କିଏ କ’ଣ କରିବ। ଆମେ ଖାଲି ଆହା ପଦେ କହିବା କଥା।

ନିରାକାର ଦାସ
ଅଳସୁଆ ପ୍ରାଇମେରୀ ସ୍କୁଲ୍‌ ସାମ୍ନା, ଦାରୁଠେଙ୍ଗ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri