ସରିଲା ତୃତୀୟ ରିମାଣ୍ଡ, ଜେଲ ଗଲେ ନକଲି ଡାକ୍ତର

ଭୁବନେଶ୍ୱର,୯।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ଲୁଟିବା ସହ ବିଭିନ୍ନ ଠକେଇ ମାମଲାରେ ଗିରଫ ହୋଇଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ ମଙ୍ଗଳବାର ଜେଲ ଯାଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ମହିଳା ଥାନା ପୋଲିସ ରମେଶଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପୁଣି ଥରେ ଜେଲକୁ ପଠାଇ ଦିଆଯାଇଛି। ଏଥିସହ ରମେଶଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ କମିଶନରେଟ ପୋଲିସ କୋର୍ଟଙ୍କଠାରୁ ଅନୁମତି ଲୋଡ଼ିଛି। ତୃତୀୟ ଥର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ୧୩ ଦିନ ରିମାଣ୍ଡରେ ଆସିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ରମେଶଠୁ ଅନେକ ତଥ୍ୟ ହାସଲ କରିପାରି ନାହିଁ। ପଚରାଉଚରା ସମୟରେ ରମେଶ ପୋଲିସକୁ ଭ୍ରମାତ୍ମକ କଥା କହି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଛନ୍ତି। ତେଣୁ ଲାଏ ଡିଟେକ୍ସନ ଟେଷ୍ଟ ଜରିଆରେ ପୋଲିସ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ପଚାରି ତାଙ୍କଠାରୁ ପ୍ରକୃତ ସତ୍ୟ ଜାଣିବାକୁ ଚେଷ୍ଟା କରିବ। ରମେଶଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି।
ରମେଶଙ୍କ ଭଉଣୀ ରଶ୍ମିତା ବେହୁରା ଗିରଫ ହୋଇ ଜେଲରେ ଥିବାବେଳେ ଭିଣୋଇ ଗଣେଶ୍ୱର ବେହେରା, ଡ୍ରାଇଭର ପପୁ ଫେରାର ଅଛନ୍ତି। ଗଣେଶ ଓ ପପୁଙ୍କୁ ଧରିବାକୁ ପୋଲସ ଅନୁସନ୍ଧାନ ଜାରି ରଖିଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପଲିଗ୍ରାଫ୍‌ ଟେଷ୍ଟ ସରିବା ପରେ ଅନ୍ୟ କେସ୍‌ରେ ରମେଶଙ୍କୁ ରିମାଣ୍ଡରେ ଅଣାଯିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ। ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌, ଅର୍ଥନୈତିକ ନେଣଦେଣ ଏବଂ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଚାଲୁ ରହିଛି। ଆବଶ୍ୟକ ହେଲେ ଖୁବଶୀଘ୍ର କମିିଶନରେଟ ପୋଲିସର ଏକ ଟିମ୍‌ ରାଜ୍ୟ ବାହାରକୁ ଯିବ ବୋଲି ଡିସିପି ଦାଶ କହିଛନ୍ତି।