ଥାନା ଭିତରେ ବ୍ଲେଡ୍‌ରେ ଆଇଆଇସିଙ୍କ ଗଳା କାଟିଲେ ଚୋରି ଅଭିଯୁକ୍ତ

ବିଶୋଇ,୨୮ା୧୦(ଅମିତ ଦାସ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧିକାରିଣୀ (ଆଇଆଇସି) ମିନି ଭୋଇଙ୍କୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋରି ଘଟଣାରେ ପଚରାଉଚରା ପାଇଁ ଆସିଥିବା ଜଣେ ଅଭିଯୁକ୍ତ ଥାନା ମଧ୍ୟରେ ଏଭଳି ଉନ୍ମତ୍ତକାଣ୍ଡ ଘଟାଇବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଥାନାର ଅନ୍ୟ କର୍ମଚାରୀମାନେ ଅଭିଯୁକ୍ତଙ୍କୁ କାବୁ କରିବା ପରେ ଶନିବାର କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ବିଶୋଇ ଅଞ୍ଚଳର ସର୍ବପୁରାତନ ଶୈବପୀଠ ବାବା ଜଳେଶ୍ୱର ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୭ତାରିଖରେ ବିଶୋଇ ଥାନାରେ ଏତଲା ଦିଆଯାଇଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୧୯୭/୨୩) ରୁଜୁ କରିଥିଲା। ତଦନ୍ତ ପାଇଁ ମନ୍ଦିରରେ ଦୀର୍ଘବର୍ଷ ଧରି ସେବାୟତ ଭାବେ କାର୍ଯ୍ୟରତ ବିଶୋଇଗାଁ  ଗ୍ରାମର ସୁଶାନ୍ତ ଦେଓ(୫୨)ଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକି ଛାଡ଼ି ଦେଇଥିଲେ। ଶୁକ୍ରବାର ସାରେ ଥାନା ଅଧିକାରିଣୀ ପୁଣି ଥରେ ସୁଶାନ୍ତଙ୍କୁ ଥାନାକୁ ଡାକିଥିଲେ। ପଚରାଉଚରା ପରେ ସୁଶାନ୍ତ ହୁଣ୍ଡି ଟଙ୍କା ଚୋରି ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ବୀକାର କରିବା ସହିତ ତାଙ୍କ ସହଯୋଗୀଙ୍କ ନାମ ମଧ୍ୟ କହିଥିଲେ। ପରେ ସୁଶାନ୍ତଙ୍କୁ ଥାନା ମଧ୍ୟରେ ଅଟକ ରଖାଯାଇଥିଲା। ତେବେ ରାତି ପ୍ରାୟ ୮ଟା ସମୟରେ ଅନ୍ୟ ଅନ୍ୟ କର୍ମଚାରୀମାନେ ଥାନା ଗୃହ ବାହାରେ ଥିବା ବେଳେ ଥାନା ଅଧିକାରିଣୀ ଭୋଇ ଥାନା ମଧ୍ୟରେ ଏକାକୀ ବସିଥିଲେ। କେହି ନ ଥିବାର ସୁଯୋଗରେ ସୁଶାନ୍ତ ସାଙ୍ଗରେ ଆଣିଥିବା ଏକ ବ୍ଲେଡ୍‌ରେ ଥାନା ଅଧିକାରିଣୀ ଭୋଇଙ୍କ ଗଳା କାଟିବାକୁ ଉଦ୍ୟମ କରିଥିଲେ। ଥାନା ଅଧିକାରିଣୀ କୌଶଳକ୍ରମେ ଅଭିଯୁକ୍ତଙ୍କ କବଳରୁ ଖସି ଯାଇ ଚିତ୍କାର କରିଥିଲେ। ଥାନା ପରିସରରେ ଥିବା ଅନ୍ୟ କର୍ମଚାରୀମାନେ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ବ୍ଲେଡ ଜବତ କରିଥିଲେ।