ଥିଏଟରକୁ ରୁଷିଆର ଟାର୍ଗେଟ

କ୍ୱିଭ୍‌, ୧୮ା୩:ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ନ ଦେଇ ରୁଷୀୟ ସୈନ୍ୟ ଯେକୌଣସି ସ୍ଥାନରେ କ୍ଷେପଣାସ୍ତ୍ର, ବୋମାମାଡ଼ କରୁଛନ୍ତି। ଯୁଦ୍ଧର ୨୨ ଦିନରେ ଗୁରୁବାର ରୁଷିଆ ୟୁକ୍ରେନ୍‌ର ମାରିଉପୋଲରେ ଥିବା ଏକ ସିନେମା ହଲ୍‌ ଉପରେ ବୋମାମାଡ଼ କରିଛି। ଏକ ବିମାନ ଥିଏଟର ଉପରେ ବୋମା ପକାଇବା ପରେ ୩ ମହଲା ବିଶିଷ୍ଟ ଥିଏଟର ବିଲ୍ଡିଂ ଜଳିବା ସହ ଧସି ଯାଇଛି। ସେଠାରେ ୧ ହଜାରରୁ ୧୨ ଶହ ଲୋକ ଆଶ୍ରୟ ନେଇଥିଲେ ବୋଲି ମାରିଉପୋଲ ଡେପୁଟି ମେୟର ସେରଗି ଓରଲୋଭ୍‌ କହିଛନ୍ତି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ସେଠାରେ ଫସି ରହିଥିବା ଆଶଙ୍କା କରାଯାଉଛି। କ୍ରମାଗତ ଆକ୍ରମଣ ଯୋଗୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଏବଂ ସେମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା କଷ୍ଟକର ହୋଇପଡ଼ିଛି ବୋଲି ମାରିଉପୋଲ ମେୟରଙ୍କ ପରାମର୍ଶଦାତା ପେଟ୍ରୋ ଆଣ୍ଡ୍ରିୟୁସ୍‌ଚେନ୍‌ଙ୍କୋ କହିଛନ୍ତି।
ନିରୀହ ଲୋକମାନେ ଆକ୍ରମଣରୁ ବର୍ତ୍ତିବା ପାଇଁ ଥିଏଟରରେ ଆଶ୍ରୟ ନେଇଥିବାବେଳେ ରୁଷିଆ ସେଠାରେ ବୋମା ପକାଇବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନିନ୍ଦା କରିଛନ୍ତି। ୟୁକ୍ରେନ୍‌ ଲୋକଙ୍କ ପ୍ରତି ରୁଷିଆର ଅମାନବୀୟ ଅତ୍ୟାଚାର ହୃଦୟ ବିଦାରକ ବୋଲି ଜେଲେନ୍‌ସ୍କି ଏକ ଭିଡିଓରେ କହିଛନ୍ତି। ରୁଷିଆ ଆକ୍ରମଣରେ କେବଳ ମାରିଉପୋଲରେ ୨୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହାବାଦ୍‌ ଏବେ ବି ମାରିଉପୋଲରେ ଥିବା ପ୍ରାୟ ୩ ଲକ୍ଷ ନାଗରିକ ବିନା ପାଣି, ଖାଦ୍ୟ, ବିଦ୍ୟୁତ୍‌, ଗ୍ୟାସ୍‌ରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ରୁଷୀୟ ସେନ୍ୟ ସେଠାକୁ ପରିବହନ ବ୍ୟବସ୍ଥା ବନ୍ଦ କରିଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି।

Share