୨ଭଉଣୀ ଶିକ୍ଷୟିତ୍ରୀଙ୍କ ଗପରେ ସରୁଛି ପାଠପଢ଼ା

କେନ୍ଦ୍ରାପଡ଼ା ଅଫିସ, ୧୪ା୧୦: ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତର ଜଗଦୀଶପୁର ୟୁଜି ୟୁପି ସ୍କୁଲ ସହରଠାରୁ ମାତ୍ର ୨ କିଲୋମିଟର। ଏଠାରେ ଶିକ୍ଷାଦାନଠାରୁ ଶିକ୍ଷାୟତନ, ଶୈକ୍ଷିକ ପରିବେଶ ଅବ୍ୟବସ୍ଥାରେ ଚାଲିଛି। ଦୁଇ ଭଉଣୀ ଏହି ସ୍କୁଲରେ ଶିକ୍ଷୟିତ୍ରୀ ହୋଇଥିବାରୁ ପାରିବାରିକ ଗପସପରେ ଶିକ୍ଷାଦାନ ଠପ ହୋଇଛି। ଏହି ଅବ୍ୟବସ୍ଥାକୁ ତୁରନ୍ତ ସଜାଡି ଶିକ୍ଷାଦାନ ପ୍ରତି ଧ୍ୟାନ ଦେବାକୁ ଗ୍ରାମବାସୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୁରୁବାର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ସୂଚନା ଦେଇଛନ୍ତି, ରାଜ୍ୟ ସରକାର ସ୍କୁଲଗୁଡିକ ୫-ଟିରେ ସାମିଲ କରିଛନ୍ତି। ବହୁ ଅର୍ଥ ବ୍ୟୟ କରି ସ୍ମାର୍ଟ ସ୍କୁଲ କରାଯାଉଛି। ତେବେ ଜଗଦୀଶପୁର ସ୍କୁଲ ଏବେ ବି ୩ ବଖରା ଆଜବେଷ୍ଟସ ଘରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି। ଜଗଦୀଶପୁର, ନିଳାଦ୍ରୀପୁର, ଚଲରପୁର, ମାଲପୁର, ଡିଅସାହି ଆଦି ଗ୍ରାମର ୮୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଏଥିପାଇଁ ୫ ଶିକ୍ଷକ ରହିବାକୁ ମଞ୍ଜୁୁରୀ ହୋଇଛି। ପ୍ରଧାନ ଶିକ୍ଷକ ଦାୟିତ୍ୱ ନେଇଥିବା ଶିକ୍ଷକ କାଗଜପତ୍ର ପ୍ରସ୍ତୁତିରେ ସୀମିତ ରହିଛନ୍ତି। ଜଣେ ଶିକ୍ଷକ ୪ ବର୍ଷ ଧରି ଅସୁସ୍ଥତା କାରଣରୁ ସ୍କୁଲକୁ ଆସୁନାହାନ୍ତି। ମାତ୍ର ପ୍ରତ୍ୟେକ ମାସରେ ଦରମା ନେଉଛନ୍ତି। ଅନ୍ୟ ଜଣେ ସିଆରସିସି ଦାୟିତ୍ୱରେ ଥିବାରୁ ସ୍କୁଲରେ ଶିକ୍ଷାଦାନ ପାଇଁ ସମୟ ଦେଉନାହାନ୍ତି। ଅବଶିଷ୍ଟ ଦୁଇ ଶିକ୍ଷୟିତ୍ରୀ ସମ୍ପର୍କରେ ଦୁଇ ଭଉଣୀ। ଏହି ଶିକ୍ଷୟିତ୍ରୀ ସ୍କୁଲକୁ ଆସିବା ପରେ ଘରୋଇ ଗପସପରେ ବ୍ୟସ୍ତ ରହୁଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି। ଏ ନେଇ ବ୍ଲକ ଓ ଜିଲା ଶିକ୍ଷା ବିଭାଗକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରିଣୀ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରେ ଅବ୍ୟବସ୍ଥା ସମ୍ପର୍କରେ କୌଣସି ଅଭିଯୋଗପତ୍ର ଆସିନାହିଁ। ତେବେ ଘଟଣାର ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।