ଟେଣ୍ଟ ଉଡ଼ିଗଲା, ତୋରଣ ଭାଙ୍ଗିଲା

ଭଞ୍ଜନଗର/ଚିକିଟି/ଆସିକା,୧୬।୫(ଡି.ଏନ.ଏ): ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଭଞ୍ଜନଗର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ସହ ବର୍ଷା ହୋଇଛି। ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ହୋଇଥିବା ଏକାଧିକ ବଡ଼ ବଡ଼ ତୋରଣ ଭାଙ୍ଗି ଚୁରମାର ହୋଇଯାଇଛି। କବିସମ୍ରାଟ ରଙ୍ଗମଞ୍ଚର ଏଲଇଡ଼ି ସ୍କ୍ରିନ ଭାଙ୍ଗି ଗୁଣ୍ଡ ହୋଇଯାଇଛି। ସ୍ଥାନୀୟ ବାଇପାସ୍‌ ରୋଡ଼ରେ ପଡ଼ିଥିବା ଅପେରା ଟେଣ୍ଟ ଉଡ଼ିଯିବା ସହ ମଞ୍ଚରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଉଁଶଲୁଣ୍ଡିରେ ପଡ଼ିଥିବା ମୀନାବଜାର ଟେଣ୍ଟ ମଧ୍ୟ ଉଡ଼ିଯିବା ସହ ଦୋକାନ ଗୃହ ଗୁଡ଼ିକ ଭାଙ୍ଗିଯାଇଛି। ସେହିଭଳି ରାମଦୋଳି ସଂସ୍ଥାର ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଅନେକ ସ୍ଥାନରେ ଛୋଟ ବଡ଼ ଗଛ ଭାଙ୍ଗି ପଡ଼ିଛି। କେତେକ ସ୍ଥାନରେ ଗଛ ପଡ଼ି ଗମନାଗମନ ବାଧାପ୍ରାପ୍ତ ହୋଇଛି। ଟିଣ ଓ ଚାଳ ଛପର ଘର ମଧ୍ୟ ଭାଙ୍ଗିଯାଇଛି। ଝଡ଼ତୋଫାନ ଯୋଗୁ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି । ସେହିପରି ଚିକିଟି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପବନ ସମେତ କୁଆପଥର ବର୍ଷା ହୋଇଛି। ଦୀର୍ଘଦିନ ଧରି ଅଞ୍ଚଳରେ ଅସହ୍ୟତାତିରୁ ଜନସାଧାରଣ ଆଶ୍ୱସ୍ତି ପାଇଛନ୍ତି। ଅପରପକ୍ଷରେ ଗତ ତିନିଦିନ ଧରି ଚାଲିଥିବା ଧାନଘରସ୍ଥିତ ଯାତ୍ରା ଅପେରାସ୍ଥଳ ଭାଙ୍ଗିଚୁରମାର ହୋଇଥିବା ବେଳେ ଚିକିଟିପେଣ୍ଠସ୍ଥିତ ଚାଲିଥିବା ଲକ୍ଷ୍ମୀମନ୍ଦିର ପ୍ରତିଷ୍ଠା ଉତ୍ସବସ୍ଥଳ ଭାଙ୍ଗିଚୁରମାର ହୋଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। କାଁ ଭାଁ ସ୍ଥାନରେ ବିଦ୍ୟୁତ ତାର ଏବଂ ଗଛ ପଡିଯିବାରୁ ବିଦ୍ୟୁତ୍‌ ସରବରାହ ବ୍ୟାଘାତ ଘଟିଛି।
ଆସିକା ଅଞ୍ଚଳରେ କାଳବୈଶାଖୀ ପବନ ଓ ବଜ୍ରପାତ ସହ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଡାଳ ବିଦ୍ୟୁତ୍‌ ତାର ଉପରେ ଛିଡ଼ି ପଡ଼ିବା ଫଳରେ ବହୁ ସମୟ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।