ବଢୁଛି ତାପମାତ୍ରା: ପ୍ରବଳ ଗରମରେ ଲୋକେ ଛଟପଟ

ବାଲିଗୁଡ଼ା,୧୯ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବାରେ ଲାଗିଛି। ପ୍ରତିଦିନର ତାପମାତ୍ରା ୪୦ରୁ ୪୧ଡିଗ୍ରୀ ରହୁଛି। ତାପମାତ୍ରା ବୃଦ୍ଧି ଯୋଗୁ ନଦୀ ନାଳ ଓ କୂଅରୁ ଜଳସ୍ତର କମିବାରେ ଲାଗିଛି। ଲୋକମାନେ ଜଳ ସଂଗ୍ରହ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ବାଲିଗୁଡ଼ା ବ୍ଲକ ଉପାନ୍ତ ପଞ୍ଚାୟତ ଲଣ୍ଡାଗାଁରେ ୧୧ଟି ଓ୍ବାର୍ଡକୁ ନେଇ ଗଠିତ ପଞ୍ଚାୟତରେ ରୁହନ୍ତି ୧୫ଶହରୁ ଅଧିକ ଲୋକ।  ଗାଁଗାଁକୁ ପିଇବା ପାଣିର ସୁବିଧା ପାଇଁ ବସୁଧା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଓଭରଟ୍ୟାଙ୍କ କରାଯାଇଥିବା ବେଳେ ଲଣ୍ଡାଗାଁ ଭଳି ପଞ୍ଚାୟତରେ ପିଇବା ପାଣିର ଘୋର ଅଭାବ ସାଙ୍ଗକୁ ଓ୍ବାର୍ଡ ବା ବସ୍ତି ମଧ୍ୟରେ ଥିବା ନଳକୂପ ଖରାପ ଥିବା ବେଳେ କାଁଭାଁ ଯେଉଁଗୁଡିକ ଠିକ ଅଛି ତାକୁ ବହୁ ସମୟ କସରତ କଲେ ଯାଇ ବଡ଼ କଷ୍ଟରେ ବାଲଟିଏ ପାଣି ବାହାରୁଛି।  ପିଇବା ପାଣି ପାଇଁ ଲୋକେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏପଟେ ଦିନବେଳର ଡହଡହ ଖରାରେ ଲୋକେ ସକାଳୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହେଉଥିବା ବେଳେ ପଞ୍ଚାୟତକୁ ନିଜର ଯାବତୀୟ କାମ ପାଇଁ ତଥା ବଜାରକୁ ଖରାବେଳେ ଦୂରରୁ ଆସୁଥିବା ଲୋକ ଟୋପାଏ ପିଇବା ପାଣି ପାଇଁ ନାହିଁ ନ ଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସରକାର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଓ ଖବରକାଗଜରେ ତାତି ବଢ଼ିବାର ପୂର୍ବାନୁମାନ କରିବା ସହ ସବୁ ପଞ୍ଚାୟତ ଓ ସହର ବଜାର ଓ ରାସ୍ତାକଡ଼ରେ ପିଇବା ପାଣି ପାଇଁ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ନିର୍ଦ୍ଦେଶକୁ ଫୁ’ କରୁଥିବା ଏହି ଲଣ୍ଡାଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏନେଇ ସରପଞ୍ଚ ତୁଳସୀ ଝଙ୍କାରଙ୍କୁ ପଚାରିବାରୁ ସେ କିଛି ଉତ୍ତର ନ ଦେଇ ଫୋନ୍‌ କାଟିଦେଇଥିଲେ। ଜଳଛତ୍ର ସହ ପିଇବା ପାଣିର ସମସ୍ୟା ନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ସହ ମୈାଖିକ ଭାବେ କହି ଆସୁଥିଲେ ସୁଦ୍ଧା ପାଣିର ସୁବିଧା କରିବା ଓ ନଳକୂପ ମରାମତି କରିବାର ଦେଖିବାକୁ ମିଳୁ ନ ଥିବା ବିଷୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିରାମ ରଣା, ରାଜେନ୍ଦ୍ର ମାଲିକ, ମୋତିଲାଲ ରଣା,ଟଙ୍କଧର ରଣା,କବିରାଜ ରଣା,ସଦାନନ୍ଦ କୁଦେଇ ପ୍ରମୁଖ ଅଭିଯୋଗ କରିଛନ୍ତି।