Categories: ଖେଳ

୧୪ ରନ୍‌ରେ ୮ ଉଇକେଟ୍‌ ହରାଇଥିଲା ଏହି ଦଳ, ୮ ନମ୍ବର ବ୍ୟାଟ୍ସମ୍ୟାନ୍‌ ବଦଳାଇଦେଲେ ମ୍ୟାଚ୍‌ର ରୂପରେଖ

ନୂଆଦିଲ୍ଲୀ,୨୬।୭: ଏକ ରୋମାଞ୍ଚକର ଟି -୨୦ ମ୍ୟାଚରେ ବେଲଜିୟମ ଅଷ୍ଟ୍ରିଆକୁ ୧୨ ରନରେ ପରାସ୍ତ କରିଛି। ବେଲଜିୟମ ଏକ ସମୟରେ ୧୪ ରନ ପାଇଁ ୮ ଉଇକେଟ ହରାଇଥିଲା। ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସାବୀର ଜାଖିଲ ଅପରାଜିତ ଶତକ ହାସଲ କରି ଦଳକୁ ରୋମାଞ୍ଚକର ବିଜୟ ଦେଇଥିଲେ। ଏହା ଏକ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଏହି ବିଜୟ ସହିତ ବେଲଜିୟମ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚରେ ଅଷ୍ଟ୍ରିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ରୁତ ବୋଲର ଆକିବ ଇକବାଲ ୫ ଓ ସାହିଲ ମୋମିନ ଦୁଇଟି ଉଇକେଟ ନେଇ ବେଲଜିୟମର ବ୍ୟାଟିଂକୁ ଦୋହଲାଇଥିଲେ। ୫.୫ ଓଭରରେ ୧୪ରନରେ ବେଲଜିୟମ ଦଳ ୮ ଉଇକେଟ ହରାଇଛି। ୮ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି ଦୁଇ ଅଙ୍କ ବିଶିଷ୍ଟ ସ୍କୋରକୁ ସ୍ପର୍ଶ କରିପାରି ନ ଥିଲେ। ଏହା ପରେ ଲାଗୁଥିଲା ବେଲଜିୟମ ଦଳ ୨୦ ରନ୍‌ ମଧ୍ୟ କରିପାରିବ ନାହିଁ। ୧୪ ରନ ପାଇଁ ୮ ଉଇକେଟ ଖସିଯିବା ପରେ ସାବୀର ଜାଖିଲ (ଅପରାଜିତ ୧୦୦) ଏବଂ ସାକଲେନ ଅଲି (ଅପରାଜିତ ୨୬) ଦଳକୁ ଆଉ ଝଟକା ଲାଗିବାକୁ ଦେଇ ନ ଥିଲେ। ଉଭୟ ୧୩୨ ରନର ଅପରାଜିତ ଭାଗିଦାରୀ ବାଣ୍ଟିଥିଲେ। ସାବୀର ୪୭ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଏବଂ ୮ ଛକା ମାରିଥିଲେ। ଏହି ସମୟରେ, ସାକଲେନ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ସେ ୩ ଚୌକା ସହାୟତାରେ ୩୯ ବଲରୁ ୨୬ ରନ କରିଥିଲେ।
ଅଷ୍ଟ୍ରିଆର ଆରମ୍ଭ, ଟାର୍ଗେଟକୁ ପିଛା କରିବାରେ ପଛରେ ପଡିଯାଇଥିଲା। ଦଳ ୬.୧ ଓଭରରେ ୩୭ ରରେ ୩ଟି ଉଇକେଟ ହରାଇଥିଲା। ଏହା ପରେ ବର୍ଷା ହେତୁ ଖେଳ ଖେଳାଯାଇ ପାରିଲା ନାହିଁ। ଡକୱର୍ଥ-ଲୁଇସ ନିୟମ ଅନୁଯାୟୀ ବେଲଜିୟମ ୧୨ ରନରେ ଜିତିଥିଲା। ସାବୀର ଜାଖିଲ ମଧ୍ୟ ଟି -୨୦ ଇଣ୍ଟରନ୍ୟାସନାଲରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଯିଏ ୮ ନମ୍ବରରେ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ଶ୍ରୀଲଙ୍କାର ଇସୁ ଉଦାନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୮୪ ରନ କରିଥିଲେ। ଏପର୍ଯ୍ୟନ୍ତ କେବଳ ୬ ଜଣ ଖେଳାଳି ୮ ନମ୍ବରରେ ଅବତରଣ କରିବା ପରେ ୫୦ରୁ ଅଧିକ ରନ୍‌ର ଇନିଂସ ଖେଳିବାରେ ସକ୍ଷମ ହୋଇଛନ୍ତି। ସାବୀର ଜାଖିଲ ଏବଂ ସାକ୍ଲେନ ଅଲି ୯ ଉଇକେଟ ପାଇଁ ୧୩୨ରନ ଯୋଡିଛନ୍ତି। ଟି -୨୦ ଇଣ୍ଟରନ୍ୟାସନାଲ୍ର ୯ମ ଉଇକେଟ ପାଇଁ ଏହା ମଧ୍ୟ ସର୍ବୋଚ୍ଚ ଭାଗିଦାରୀ । ପ୍ରଥମ ଥର ପାଇଁ ଏକ ଯୋଡି ୧୦୦ ରୁ ଅଧିକ ରନ ଯୋଡିଥିଲେ।

Share