ଉଦାହରଣ ପାଲଟିଲେ ଶିକ୍ଷକ

ବରଗଡ଼ ଅଫିସ୍‌,୧୫।୨: ବରଗଡ଼ ଜିଲା ପଦ୍ମପୁର-ସୋହେଲା ବିଜୁ ଏକ୍ସପ୍ରେସ ରାସ୍ତାର କନସିଂହା ଛକ ନିକଟରେ ସୋମବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାର ୨ଜଣ ଆହତକୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଶିକ୍ଷକ ଦିବସ କୁମାର ସାହୁ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି। ସୂଚନାଯୋଗ୍ୟ, ଭଉଣୀର ବାହାଘରେ ଯୋଗ ଦେବାକୁ ସନ୍ତୋଷ ଭୁଏ ଏବଂ ସନ୍ତୋଷ ବିଶ୍ୱାଳ ଝାଙ୍କରପାଲି ଗ୍ରାମରୁ ଦିପ୍ତୀପୁରକୁ ଏକ ବାଇକ୍‌ ଯୋଗେ ଯାଉଥିଲେ। କନସିଂହା ଛକ ନିକଟରେ ଏକ ଗାଡ଼ି ଧକ୍କା ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ସେମାନେ ରାସ୍ତାରେ ଛିଟିକି ପଡ଼ି ରହିଥିଲେ। ସେତିକିବେଳେ ଉକ୍ତ ରାସ୍ତା ଦେଇ ଫେରୁଥିବା ଶିକ୍ଷକ ଦିବସ କୁମାର ତାଙ୍କୁ ଦେଖି ଉଦ୍ଧାର ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଯୋଗାଯୋଗ ହୋଇପାରି ନ ଥିଲା । ଫଳରେ ସେ ବିଳମ୍ବ ନ କରି ବାଇକ୍‌ ଯୋଗେ ଆହତଙ୍କୁ ଘଟଣାସ୍ଥଳରୁ ପ୍ରାୟ ୧୦କି.ମି ଦୂର ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଦିବସଙ୍କ ଏଭଳି ମାନବିକତାକୁ ବିଭିନ୍ନ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।