ସ୍କୁଲରେ ଶୋଇଲେ ଶିକ୍ଷକ, ଘରକୁ ଫେରିଲେ ପିଲା

ବଇଣ୍ଡା,୩ା୧ (ପରିକ୍ଷିତ ସାହୁ):ପିଲାଙ୍କୁ ପଢ଼ାଇବା ପରିବର୍ତ୍ତେ ସ୍କୁଲ କାର୍ଯ୍ୟାଳୟରେ ଶୋଇପଡ଼ିଲେ ଶିକ୍ଷକ। ଦୀର୍ଘ ସମୟ ଯାଏ ଶିକ୍ଷକ ଜଣକ ନ ଉଠିବାରୁ ଶେଷରେ ବିଦ୍ୟାଳୟରେ ବସି ବସି ଘରକୁ ଫେରିଲେ ପିଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତ ରେଙ୍ଗାଳବେଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଦେଖିବାକୁ ମିଳିଛି ଏପରି ଘଟଣା। ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି, ରେଙ୍ଗାଳବେଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୯ ଛାତ୍ରୀଛାତ୍ର ପଢୁଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ବ୍ଲକରେ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅନ୍ୟ ଜଣେ ଶିକ୍ଷକଙ୍କୁ ବିଦ୍ୟାଳୟ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ହେଲେ ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷକ ଜଣକ ଗୁରୁବାର ପୂର୍ବାହ୍ନ ୧୦ଟା ବେଳେ ମଦ୍ୟପାନ କରି ବିଦ୍ୟାଳୟକୁ ଆସିବା ସହ ଛାତ୍ରୀଛାତ୍ରଙ୍କୁ ପାଠ ନ ପଢ଼ାଇ କାର୍ଯ୍ୟାଳୟ ଭିତରେ ଶୋଇପଡ଼ିଥିଲେ। ଅପରାହ୍ନ ଯାଏ ଶିକ୍ଷକ ଜଣକ ଶୋଇ ରହିଥିବା ଜାଣି ଗ୍ରାମବାସୀ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିଆର୍‌ସିସି ବବ୍ରୁବାହାନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତୁରନ୍ତ ସମ୍ପୃକ୍ତ ଶିକ୍ଷକଙ୍କୁ ବଦଳି କରି ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀ କହିଛନ୍ତି, ମଦ୍ୟପାନ କରି ଶିକ୍ଷକ ବିଦ୍ୟାଳୟରେ ଶୋଇଥିବା ସମ୍ପର୍କରେ ଅଭିଯୋଗ ହେବା ପରେ ତଦନ୍ତ ପାଇଁ ସିଆର୍‌ସିସିଙ୍କୁ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।