ଘୋଡ଼ା ସହ ଏମିତି କାମ କଲେ ଶିକ୍ଷୟିତ୍ରୀ, ଶେଷରେ ଗଲା ଚାକିରି

ଲଣ୍ଡନ,୨୨ା୧୨: ବ୍ରିଟେନରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏମିତି କିଛି କାର୍ଯ୍ୟ କରିଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ନିନ୍ଦା କରିବେ। ସୋସିଆଲ ମିଡିଆରେ ତାଙ୍କ କାର୍ଯ୍ୟକଳାପ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ଭାଇରାଲ ଭିଡିଓରେ ସାରା ଗୋଲ୍ଡସ ନାମକ ଜଣେ ଶିକ୍ଷୟିତ୍ରୀ ଘୋଡ଼ାକୁ ଲାତ ମାରୁଥିବା ଦେଖିବାକୁ ମିଳିଛି। ପଶୁ ପ୍ରତି ତାଙ୍କର କ୍ରୁରତା ବା ନିଷ୍ଠୁରତା ଏବେ ଚାରିଆଡ଼େ ଆଲୋଚନାର ବିଷୟ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ଦୁଇଟି ସନ୍ତାନର ଜନନୀ ସାରା ଲିସେଷ୍ଟରଶାୟାରର ମେଲ୍ଟନ ମୋବ୍ରେରେ ରୁହନ୍ତି। ଭିଡିଓରେ ସେ ଘୋଡ଼ାକୁ ଲାତ ମାରୁଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ୬ ସପ୍ତାହ ପରେ ସ୍କୁଲରୁ ବାହାର କରି ଦେଇଛନ୍ତି।

ସ୍କୁଲର ମୁଖ୍ୟ ପଲ ମ୍ୟାଡାକ୍ସ କୁହନ୍ତି, ସାରାଙ୍କ ଏପରି କାର୍ଯ୍ୟ ମୁଁ ସୋସିଆଲ ମିଡିଆରେ ଦେଖି ତାଙ୍କୁ ଚାକିରିରୁ ବାହାର କରିଦେଇଛି। ୩୭ ବର୍ଷୀୟା ସାରା ଆମ ସ୍କୁଲରେ ସିନୟର ଥିଲେ। ତୃତୀୟ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିଲେ। ସ୍କୁଲ ଇଭେଣ୍ଟରେ ସେ ଏକ ଘୋଡ଼ାକୁ ଲାତ ମାରିଥିବା ଜଣାପଡ଼ିଥିଲା। ଏହାର ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ପରେ ସାରାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ସାରାଙ୍କୁ ଖେଳପ୍ରେମୀମାନେ ଖୁବ୍‌ ନିନ୍ଦା ବି କରିଛନ୍ତି। ଘୋଡ଼ାଚାଳକ ଯୁବ ସଂଗଠନର ଟିମ୍‌ ମ୍ୟାନେଜର ଥିଲେ ସାରା। ତାଙ୍କର ଏପରି କାର୍ଯ୍ୟକଳାପ ଯୋଗୁ ଏହି ପଦରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଛି।

Share