ଟାଟା କମ୍ପାନୀ ବସ୍‌ ୩ଘଣ୍ଟା ଅଟକ

ବାଲିଆପାଳ, ୨୨।୨(ସ୍ବ.ପ୍ର) ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ବନ୍ଦରକୁ ରେଳଲାଇନ୍‌ ସଂଯୋଗୀକରଣରେ ଜମି ହରାଇଥିବା ପରିବାରର ୩୩ ଯୁବତୀଯୁବକମାନଙ୍କୁ ଟାଟା କମ୍ପାନୀ ପ୍ରଶିକ୍ଷଣ ପାଇଁ ଏକ ବସ୍‌ ଯୋଗେ ସୋମବାର ବାଲିଆପାଳରୁ ଜାମସେଦପୁର ନେଉଥିବା ବେଳେ ସ୍ଥାନୀୟ ଅଞ୍ଚଳ କେତେଜଣ ଯୁବକ ବସ୍‌କୁ ପାରୁଲିଆ ଛକଠାରେ ୩ଘଣ୍ଟା ଧରି ଅଟକାଇଥିଲେ। ଉତ୍ତର ଓଡ଼ିଶା ଜନମଞ୍ଚର ସଭାପତିଙ୍କ ହସ୍ତକ୍ଷେପ ପରେ ବସ୍‌ ଜାମସେଦପୁର ଅଭିମୁଖେ ଯାତ୍ରା କରିଥିଲା। ଦକ୍ଷିଣ ବାଲିଆପାଳରେ ସମୁଦ୍ର ଉପକୂଳରେ ପ୍ରସ୍ତାବିତ ବନ୍ଦର ସର୍ଭେ ଚାଲିଥିବା ବେଳେ ବନ୍ଦରକୁ ରେଳଲାଇନ ସଂଯୋଗ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷହେବାକୁ ବସିଲାଣି। ପ୍ରଥମ ପର୍ଯ୍ୟାୟରେ ରେଳଲାଇନ୍‌ ପାଇଁ ଜମି ହରାଇଥିବା ପରିବାରର ଯୁବତୀଯୁବକମାନଙ୍କୁ ପ୍ରଶିକ୍ଷଣ ପାଇଁ ଟାଟା କମ୍ପାନୀ ପ୍ରବେଶିକା ପରୀକ୍ଷା କରାଇ ମନୋନୀତ କରିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁଥିବାରୁ ବାଲିଆପାଳ ବ୍ଲକର ନିର୍ବାଚନ ଶେଷ ହେବା ପରେ ସୋମବାର ଟାଟା କମ୍ପାନୀ ମନୋନୀତ ୩ଯୁବତୀ ଓ ୩୦ଯୁବକଙ୍କୁ ଜାମସେଦ୍‌ପୁରଠାରେ ଥିବା ନିଜ କମ୍ପାନୀକୁ ପ୍ରଶିକ୍ଷଣ ପାଇଁ ପଠାଇବାକୁ ପ୍ରସ୍ତୁତି କରୁଥିଲେ। ବାଲିଆପାଳ ଅଞ୍ଚଳର ଅନ୍ୟ କେତେଜଣ ଯୁବତୀଯୁବକ ପ୍ରଥମେ ପ୍ରଶିକ୍ଷଣ ଦାବି କରି ବସ୍‌କୁ ଅଟକାଇଥିଲେ। ବାଲିଆପାଳ ପୋଲିସ ପହଞ୍ଚତ୍ ବସ୍‌ ଅଟକାଇଥିବା ଯୁବକଙ୍କୁ ବୁଝାଶୁଝା କରି ନିରାଶ ହୋଇଥିବା ବେଳ ଉତ୍ତରଓଡ଼ିଶା ଜନମଞ୍ଚ ସଭାପତି ବଳରାମ ସାହୁ ପହଞ୍ଚତ୍ ହସ୍ତକ୍ଷେପ ପରେ ବସ୍‌ ଜାମସେଦପୁର ଅଭିମୁଖେ ଯାତ୍ରା କରିଥିଲା। ଯାତ୍ରା ବେଳେ ସୁବର୍ଣ୍ଣରେଖା ବନ୍ଦର ପ୍ରଶାସନିକ ଅଧିକାରୀ ଏବଂ କମ୍ୟୁନିଟି ଏନ୍‌ଗେଜମେଣ୍ଟ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୋଦ କୁମାର, ସୁବର୍ଣ୍ଣରେଖା ବନ୍ଦର ଡ୍ରେଜିଂ ଦାୟିତ୍ୱରେ ଥିବା ଅଧିକାରୀ ଶ୍ୟାମତନୁ ଦତ୍ତ, ସୁବର୍ଣ୍ଣରେଖା ବନ୍ଦର ଡିଭିଜନାଲ ମୁଖ୍ୟ ଅମୀୟ ରଞ୍ଜନ ପାକଳ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପାଇଁ ଯାଉଥିବା ଯୁବତୀଯୁବକମାନଙ୍କୁ ଉତ୍ସାହିତ କରିଥିଲେ।