ତରଣ୍ଡା ଜଙ୍ଗଲ ଶ୍ରୀହୀନ

ବଇଣ୍ଡା,୭।୮(ପରିକ୍ଷିତ ସାହୁ) : ଶ୍ରୀହୀନ ହେବାରେ ଲାଗିଛି ଅନୁଗୋଳ ଜିଲା ଧଣ୍ଡାତୋପା ରେଞ୍ଜ ଅଧୀନ ତରଣ୍ଡା ଜଙ୍ଗଲ। ଜଙ୍ଗଲରେ ଚୋରା କାଠ ମାଫିଆ ମାତିଛନ୍ତି। ଅବାଧ ଭାବେ ଗଛ କଟାଯାଉଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଏହାର ସୁରକ୍ଷା ଦିଗରେ ପଦକ୍ଷେପ ନିଆ ନ ଗଲେ ଜଙ୍ଗଲ ପଦା ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଧଣ୍ଡାତୋପା ରେଞ୍ଜ କାର୍ଯ୍ୟାଳୟଠାରେ ଏ ସଂକ୍ରାନ୍ତରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିରେ ଅତିଷ୍ଠ ହୋଇ ଅଞ୍ଚଳବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗ୍ରାମବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ଜଙ୍ଗଲ ଜୈବ ବିବିଧତାରେ ପରିପୂର୍ଣ୍ଣ। ହେଲେ ଆବଶ୍ୟକ ସୁରକ୍ଷା କରାଯାଉ ନ ଥିବାରୁ ଏହା ଅସୁରକ୍ଷିତ ହୋଇପଡିଛି। ଜଙ୍ଗଲରେ କାଠ ଚୋର ମାତିଛନ୍ତି। କଟର ସହାୟତାରେ ରାତିଅଧିଆ ମୂଲ୍ୟବାନ ଗଛ କାଟୁଛନ୍ତି। ସେସବୁକୁ ଗୁପ୍ତସ୍ଥାନରେ ମହଜୁଦ୍‌ କରି ରଖୁଛନ୍ତି। ସେଠାରେ ସାଇଜ୍‌ କାଠ କାଟିବା ପରେ ସୁବିଧା ଦେଖି ବାହାରକୁ ଚାଲାଣ କରୁଛନ୍ତି। ଫଳରେ ଜଙ୍ଗଲରେ ଥିବା ମୂଲ୍ୟବାନ ଶାଗୁଆନ, ଶାଳ, ପିଆଶାଳ ଗଛ ଶେଷ ହେବାକୁ ବସିଲାଣି। ଏଭଳି ବେଆଇନ କାର୍ଯ୍ୟରେ ବନ ବିଭାଗର କେତେଜଣ ଅଧିକାରୀଙ୍କ ହାତ ରହିଥିବା ଅଞ୍ଚଳବାସୀ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଏହି ଜଙ୍ଗଲର କିଛି ଅଂଶ ଅନ୍ୟ ଏକ ରେଞ୍ଜ ଅଧୀନରେ ଥିବା ଯୋଗୁ ବନ ବିଭାଗ ରାତ୍ରି ପାଟ୍ରୋଲିଂ କରୁନାହିଁ। ତେଣୁ ଏହା କାଠ ମାଫିଆଙ୍କ ଲାଗି ସୁଯୋଗ ସୃଷ୍ଟି କରୁଛି। ପୂର୍ବରୁ ଗ୍ରାମବାସୀ ଏ ନେଇ ଧଣ୍ଡାତୋପା ରେଞ୍ଜ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହଁି। ସରକାରଙ୍କ ପକ୍ଷରୁ ୧୯୮୫ରେ ଏହି ଜଙ୍ଗଲରେ ୯୮୬୫ଟି ଶାଳ, ଶାଗୁଆନ, ଶିଶୁ, ପଟାସ ଭଳି ଅନେକ ଗଛ ଲଗାଯାଇଥିଲା। ସେହି ଗଛଗୁଡ଼ିକ ବଡ଼ ବଡ଼ ଦ୍ରୁମରେ ପରିଣତ ହୋଇଛି। ଫଳରେ ମୂଲ୍ୟବାନ ଗଛ ଉପରେ କାଠ ଚୋରଙ୍କ ନଜର ପଡ଼ିଛି। ତୁରନ୍ତ ବନ ବିଭାଗର ଉଚ୍ଚ ଅଧିକାରୀମାନେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ଏ ନେଇ ଫରେଷ୍ଟର ଅର୍ଜୁନ ବେହେରା କହିଛନ୍ତି, ଜଙ୍ଗଲକୁ ସୁରକ୍ଷା ଦିଆଯାଉଛି। ଅଧିକ ସୁରକ୍ଷା ଯୋଗାଇ ଦିଆଯିବ।