Categories: ଫୁରସତ

ଭାଗ୍ୟ ବଦଳାଇ ଦେଲା ରତ୍ନ: ରାତାରାତି କୋଟିପତି ହେଲେ ତାଞ୍ଜାନିଆର ଏହି ବ୍ୟକ୍ତି

ନୂଆଦିଲ୍ଲୀ, ୨୫।୬- ଭାଗ୍ୟଦେବୀ କେତେବେଳେ କାହାର ସାଥ୍‌ ଦିଅନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ତାଞ୍ଜାନିଆରେ ଦେଖିବାକୁ ମିଳିଛି। ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆର ଜଣେ ଶ୍ରମିକ ଏକ ଖଣି ଖୋଳୁଥିବାବେଳେ ୨ଟି ଅତି ଦୁର୍ଲଭ ତାଞ୍ଜାନାଇଟ୍‌ ରତ୍ନ ପାଇଥିଲେ। ଯାହାକୁ ତାଞ୍ଜାନିଆ ଇତିହାସର ସବୁଠାରୁ ବଡ଼ ତାଞ୍ଜାନାଇଟ୍‌ ରତ୍ନ ବୋଲି କୁହାଯାଉଛି। ସାନିନିଉ ଲାଇଜର ନାମକ ଏହି ବ୍ୟକ୍ତି ଜଣଙ୍କ ଯେଉଁ ୨ଟି ତାଞ୍ଜାନାଇଟ୍‌ ରତ୍ନ ପାଇଥିଲେ ସେଥିରୁ ଗୋଟିକର ଓଜନ ୯.୨୭ କେଜି ଓ ଅନ୍ୟଟି ୫.୧୦୩ ଓଜନ ବିଶିଷ୍ଟ ଥିଲା। ତାଞ୍ଜାନିଆ ସରକାର ଲାଇଜରଙ୍କ ନିକଟରୁ ଏହି ଦୁଇଟି ଦୁର୍ଲଭ ରତ୍ନକୁ ୩.୩୫ ମିଲିୟନ ଡଲାର ମୂଲ୍ୟରେ କ୍ରୟ କରିନେଇଥିଲେ। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପାଖାପାଖି ୨୫ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଲାଇଜରଙ୍କ ୪ଟି ସ୍ତ୍ରୀ ରହିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ସନ୍ତାନ ମଧ୍ୟ ରହିଛନ୍ତି। ରାତାରାତି କୋଟିପତି ହୋଇଯିବା ପରେ ତାଙ୍କ ପରିବାରରେ ଏକ ବିରାଟ ପାର୍ଟି ହେବ ବୋଲି ଖୁସିରେ ଆତ୍ମହରା ହୋଇପଡ଼ିଥିବା ଲାଇଜର କହିଛନ୍ତି। ତାଞ୍ଜାନିଆ ରାଷ୍ଟ୍ରପତି ଜନ୍‌ ମୋଗୁଫୁଲି ମଧ୍ୟ ଲାଇଜରଙ୍କୁ ଫୋନ କରି ବଧାଇ ଦେଇଛନ୍ତି। ସେହିଭଳି ଏହା ଦେଶର ସବୁଠାରୁ ୨ଟି ବଡ଼ ତାଞ୍ଜାନାଇଟ୍‌ ରତ୍ନ ବୋଲି ମାଇନିଂ ବିଭାଗ ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଦୁର୍ଲଭ ରତ୍ନ କେବଳ ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆର ଉତ୍ତର କ୍ଷେତ୍ରରେ ମିଳିଥାଏ।

Share