ଆଫଗାନିସ୍ତାନରେ ବନ୍ଦ ହେଲା ବାଳିକା ସ୍କୁଲ

କାବୁଲ,୨୪।୩:ଆଫଗାନିସ୍ତାନ ଶାସନ ଭାର କଠୋରପନ୍ଥୀ ତାଲିବାନ୍‌ ସରକାର ହାତକୁ ଚାଲିଯିବା ପରେ ଦେଶରେ ଅସ୍ଥିରତା ଲାଗି ରହିଛି। ଏପର୍ଯ୍ୟନ୍ତ ତାଲିବାନ୍‌ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିପାରିନାହିଁ। ମାର୍ଚ୍ଚ ୨୩ ଅର୍ଥାତ୍‌ ବୁଧବାରଠାରୁ ଦେଶର ସମସ୍ତ ସ୍କୁଲ ଖୋଲିବା ନେଇ ତାଲିବାନ୍‌ ଘୋଷଣା କରିଥିଲେ ହେଁ ବିଦ୍ୟାଳୟ ଖୋଲିବାର କେଇ ଘଣ୍ଟା ମଧ୍ୟରେ ତାହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ବାଳିକା ସ୍କୁଲ ବ୍ୟତୀତ ଅନ୍ୟ ଯେଉଁ ସ୍କୁଲରେ ଛାତ୍ରୀ ପଢୁଛନ୍ତି ସେଗୁଡ଼ିକ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। ଇସ୍‌ଲାମିକ ଲ’ ଅନୁସାରେ ଏକ ଯୋଜନା ପ୍ରସ୍ତୁତ କରାଯିବା ପରେ ବାଳିକା ସ୍କୁଲ ଖୋଲିବ ବୋଲି ତାଲିବାନ୍‌ କହିଛି। ମାର୍ଚ୍ଚ ୨୩ରେ ସବୁ ସ୍କୁଲ ଖୋଲିବା ପାଇଁ ତାଲିବାନ୍‌ ଶିକ୍ଷା ମନ୍ତ୍ରଣାଳୟ ଗତ ସପ୍ତାହରେ ଘୋଷଣା କରିଥିଲା। ମାର୍ଚ୍ଚ ୨୨ରେ ମନ୍ତ୍ରଣାଳୟର ମୁଖପାତ୍ର ଏକ ଭିଡିଓ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଆସିବା ପାଇଁ ଏକ ସ୍ବାଗତ ବାର୍ତ୍ତା ଜାରି କରିଥିଲେ।

Share