Categories: ଜାତୀୟ

୬ ମାସ ପରେ ସୋମବାରଠାରୁ ଖୋଲିବ ପ୍ରେମର ପ୍ରତୀକ ତାଜ ମହଲ

ଆଗ୍ରା, ୨୦।୯: ସପ୍ତଦଶ ଶତାବ୍ଦୀର ପ୍ରେମର ପ୍ରତୀକ ତାଜ ମହଲ ଓ ଆଗ୍ରା କିଲ୍ଲା ୬ ମାସ ପରେ ସୋମବାରଠାରୁ ପୁଣିଥରେ ଖୋଲିବ। କରୋନା ମହାମାରୀ ଲାଗି ଏହି ଦର୍ଶନୀୟ ସ୍ଥାନଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧିକାରୀମାନେ ଏହି ପର୍ଯ୍ୟଟନ ସ୍ଥାନ ଖୋଲିବା ଲାଗି ସମସ୍ତ ବ୍ୟବସ୍ଥା କରିଛନ୍ତି।
କେୟାରଟେକର ଅମରନାଥ ଗୁପ୍ତା କହିଛନ୍ତି, ପୂର୍ବ ଓ ପଶ୍ଚିମ ଦ୍ୱାରରେ ସାନିଟାଇଜେଶନ, ଥର୍ମାଲ ସ୍କିନିଂ, ସାମାଜିକ ଦୂରତ୍ୱ ରକ୍ଷା ଲାଗି ସର୍କଲ ପେଣ୍ଟିଂ ଆଦି ବ୍ୟବସ୍ଥା ହୋଇଛି। ଗୋଟିଏ ସିଫ୍ଟରେ ୨୫୦୦ ଲୋକଙ୍କୁ ତାଜ ମହଲ ପରିଦର୍ଶନ ପାଇଁ ଅନୁମତି ରହିଛି। ଅନ୍‌ଲାଇନ ବୁକିଂ ଜରିଆରେ ପର୍ଯ୍ୟଟକଙ୍କୁ କେବଳ ଭିତରକୁ ଯିବାକୁ ଅନୁମତି ମିଳିବ। ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଟିକେଟ୍‌ ମୂଲ୍ୟ ୧୧୦୦ ଟଙ୍କା ରହିଥିବାବେଳେ ଭାରତୀୟଙ୍କ ଲାଗି ୫୦ ଟଙ୍କା ରହିଛି। ସମ୍ରାଟ ଶାହ ଜାହାନ ଓ ମମତାଜ ମହଲଙ୍କ ସମାଧି ଦର୍ଶନ ଲାଗି ଅତିରିକ୍ତ ୨୦୦ ଟଙ୍କାର ଟିକେଟ୍‌ କାଟିବାକୁ ପଡ଼ିବ। ଏଠାରେ ଉଲ୍ଲେଖଯୋଗ୍ୟ, ଆଗ୍ରାରେ ବର୍ତ୍ତମାନ ସୁଦ୍ଧା ୪,୭୦୬ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି।

Share