ସଫଳ ହେଉନି ଅସ୍ତ୍ରୋପଚାର, ବଢୁଛି ଚିନ୍ତା

ଲୋଇସିଂହା,୧୬।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଗ୍ରାମର ଦୀନବନ୍ଧୁ ଥନାପତି (୫୫)। ଦୂରାରୋଗ୍ୟରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଅୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍‌ସ)ରେ ଚିକିତ୍ସିତ ହେଉଛନ୍ତି। ପ୍ରଥମ ଦୁଇଦଫା ଅସ୍ତ୍ରୋପଚାର ସଫଳ ହେଲାନାହିଁ। ଏବେ ତୃତୀୟ ଥର ଅସ୍ତ୍ରୋପଚାର ପାଇଁ ଡାକ୍ତର କହୁଛନ୍ତି। ଏଥିପାଇଁ ଅନ୍ୟାନ୍ୟ ଖର୍ଚ୍ଚ ସହ ଅନୂନ୍ୟ ୧ଲକ୍ଷ ଟଙ୍କା ଆବଶ୍ୟକ ପଡୁଛି। ଏତେ ଟଙ୍କା ଯୋଗାଡ କରି ପାରୁ ନ ଥିବାରୁ ଏବେ ଦୀନବନ୍ଧୁଙ୍କ ଚିନ୍ତା ବଢିଯାଇଛି। ଗ୍ରାମବାସୀ ଏହା ଜାଣିଲା ପରେ ଦୀନବନ୍ଧୁଙ୍କ ପ୍ରତି ସହାୟତାର ହାତ ବଢାଇବା ପାଇଁ ସାମାଜିକ ଗଣମାଧ୍ୟମରେ ନିବେଦନ କରାଯାଇଛି। ସ୍ତ୍ରୀ, ୩ ଝିଅ ଓ ଏକମାତ୍ର ପୁଅଙ୍କୁ ନେଇ ଦୀନବନ୍ଧୁଙ୍କ ପରିବାର। ଦୀନବନ୍ଧୁଙ୍କ କୌଳିକ ବୃତ୍ତି ହେଲା ଶିବ ମନ୍ଦିରରେ ପୂଜା କରିବା। ସବୁକିଛି ଠିକ୍‌ ଚାଲିଥିଲା। କିଛିମାସ ତଳେ ତାଙ୍କ ମୁହଁର ଡାହଣପାର୍ଶ୍ୱ ଆଖିତଳେ ଏକ କଳାଜାଇ ହୋଇଥିଲା। ଏହା ଅସ୍ତେଆସ୍ତେ ବଢି ସେଠାରେ ଘା ହୋଇଯାଇଥିଲା। ସ୍ଥାନୀୟ ଡାକ୍ତରଖାନାରେ ଦେଖାଇ ସେ ଓଷଧ ଖାଇଥିଲେ। ହେଲେ ଘା ନ ଶୁଖିବାରୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ତାଙ୍କର ଦୁଇଥର ଅସ୍ତ୍ରୋପଚାର ସରିଛି। ହେଲେ ସେ ଆରୋଗ୍ୟ ହୋଇ ପାରିନାହାନ୍ତି। ଇତ୍ୟବସରେ ଦୀନବନ୍ଧୁଙ୍କ ସଞ୍ଚୟ ଟଙ୍କା ଏବଂ ବିଜୁ ସ୍ବାସ୍ଥ୍ୟକାର୍ଡ(ବିଏସ୍‌କଓ୍ବୋଇ) ବାବଦ ଟଙ୍କା ଚିକିତ୍ସାରେ ସରିଯାଇଛି। ଏବେ ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ଏଭଳି ସ୍ଥିତିରେ ଡାକ୍ତର ତୃତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ପାଇଁ କହିବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଗ୍ରାମବାସୀ ସହାୟତା ପାଇଁ ସାମାଜିକ ଗଣମାଧ୍ୟମର ସାହାରା ନେଇଛନ୍ତି। ଏଥିମଧ୍ୟରେ ୧୫ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ମିଳିଥିବା ଦୀନବନ୍ଧୁଙ୍କ ଭାଇ ଅନୀଲ ଥନାପତି କହିଛନ୍ତି।