Categories: ବାଣିଜ୍ୟ

ଏଜିଆର୍‌ ଦେୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୦।୭: ଟେଲିକମ୍‌ କମ୍ପାନୀଙ୍କ ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟ ପ୍ରଦାନ ମାମଲା ଉପରେ ଚୂଡ଼ାନ୍ତ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ କରିଛନ୍ତି। ଟେଲିକମ୍‌ କମ୍ପାନୀଙ୍କ ୧.୬ ଲକ୍ଷ କୋଟି ଟଙ୍କା ଏଜିଆର୍‌ ମାମଲାରେ ଆଉ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଶୁଣାଣି କରାଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଅରୁଣ କୁମାର ମିଶ୍ର, ଜଷ୍ଟିସ ଅବଦୁଲ ନାଜିର ଏବଂ ଜଷ୍ଟିସ ଏ.ଆର୍‌.ଶାହଙ୍କ ଖଣ୍ଡପୀଠ ଏହି ମାମଲାର ରାୟକୁ ସଂରକ୍ଷିତ କରିଛନ୍ତି। ଦେୟ ପ୍ରଦାନ ଲାଗି ଟେଲିକମ୍‌ କମ୍ପାନୀଙ୍କୁ ୨୦ ବର୍ଷ ସମୟ ଦିଆଯାଉ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅପିଲ କରିଥିଲେ। ଏହି ମାମଲାରେ ପୁଣି ଥରେ ଶୁଣାଣି ନ କରିବା ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ୧୫ରୁ ୨୦ ବର୍ଷ ସମୟ ଦେବା ଠିକ୍‌ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଉପଲବ୍ଧ କରିଛନ୍ତି। ଏ ଦିଗରେ ଟେଲିକମ୍‌ କମ୍ପାନୀଗୁଡିକ ଏକ ଠିକ୍‌ ସମୟସୀମା ପୁଣି ଥରେ ଧାର୍ଯ୍ୟ କରନ୍ତୁ ବୋଲି ନ୍ୟାୟାଳୟ ନିର୍ଦ୍ଦେଶରେ କହିଛନ୍ତି। ଯଦି ହୁଏ ତେବେ ଟେଲିକମ କମ୍ପାନୀଗୁଡିକର ଇନ୍‌ସଲଭେନ୍ସି ପ୍ରସଙ୍ଗଗୁଡିକରେ ମଧ୍ୟ ବିଚାର କରାଯାଇପାରେ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଉପରେ ରହିଥିବା ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ଏଜିଆର୍‌ ଦେୟ ଆଦାୟ ନ କରିବାକୁ ଟେଲିକମ ବିଭାଗ ନିଷ୍ପତ୍ତି ନେଇଛି ବୋଲି ସରକାର ଜୁନ୍‌ ୧୮ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ। ଏଭଳି ସ୍ଥିତିରେ ପେମେଣ୍ଟ ନେଇ ଏକ ଠିକ୍‌ ଯୋଜନା ଆଣିବାକୁ ଟେଲିକମ୍‌ କମ୍ପାନୀଗୁଡିକୁ କୁହାଯାଇଛି।

Share