ଆଖୁଚାଷ ଉଜାଡିଲେ

ପରଜଙ୍ଗ, ୧୨ ।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳରେ ହାତୀପଲ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ହାତୀଙ୍କୁ ଜନବସତି ମୁହଁା କରାଇଥିବାବେଳେ ସେମାନେ ଦଳବଦ୍ଧ ହୋଇ ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ସହିତ ଘରଦ୍ୱାର, ଫାର୍ମ ଭାଙ୍ଗି ପକାଉଛନ୍ତି।
ବ୍ଲକର ବଡ଼ଝରା କପାସିରା ନିକଟ ଆଖୁ ବଗିଚାରେ ଗୁରୁବାର ବିଳମ୍ବିତ ରାତିରେ ହାତୀପଲ ବ୍ୟାପକ ଚାଷ ନଷ୍ଟ କରିଛନ୍ତି। ଏଥିରେ ବ୍ରହ୍ମାନନ୍ଦ ସାହୁଙ୍କ ଆଖୁ କିଆରି ଉଜୁଡ଼ିଯାଇଛି। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବଡ଼ଝରା ଗ୍ରାମର ବ୍ରହ୍ମାନନ୍ଦ କପାସିରାଠାରେ ୧ ଏକରରୁ ଊର୍ଦ୍ଧ୍ୱ ଜମିରେ ଆଖୁ ଚାଷ କରିଥିଲେ। କ୍ଷେତ ଜଗିବା ଲାଗି ବଗିଚାରେ ଦୁଇ ବଖରା ଆଜବେଷ୍ଟସ୍‌ ଘର କରିଥିଲେ। ବିଳମ୍ବିତ ରାତିରେ ୧୮ରୁ ଊର୍ଦ୍ଧ୍ୱ ହାତୀ ଜମିରେ ପଶି ଫସଲ ଖାଇଯିବା ସହିତ ଦଳିଚକିଟି ନଷ୍ଟ କରିଦେଇଛନ୍ତି। ଏଥିସହ ଘର ଭାଙ୍ଗି ଦେଇଛନ୍ତି। ସେହିପରି କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ରେଞ୍ଜ ଝିଲି ଗ୍ରାମ ନିକଟରେ ଥିବା ବ୍ରହ୍ମାନନ୍ଦଙ୍କ କଦଳୀ ବଗିଚା ଏବଂ କୁକୁଡ଼ା ଫାର୍ମରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ କଦଳୀ ଗଛ ନଷ୍ଟ ହୋଇଛି। ଫାର୍ମ ଭାଙ୍ଗି କୁକୁଡ଼ା ଦାନା ଖାଇଦେଇଛନ୍ତି। କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି।