Categories: ଜାତୀୟ

ଯୋଗୀଙ୍କୁ ରକ୍ତରେ ଚିଠି ଲେଖିଲେ ଛାତ୍ରୀ

ଗାଜିଆବାଦ,୩୦।୮: ଉତ୍ତରପ୍ରଦେଶର ଗାଜିଆାବାଦ ଅଞ୍ଚଳରେ ଥିବା ଏକ ସ୍କୁଲର ଅଧ୍ୟକ୍ଷ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଅଧ୍ୟକ୍ଷ ଡ. ରାଜୀବ ପାଣ୍ଡେ ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ତାଙ୍କ ଦପ୍ତରକୁ ଡାକିବା ସହ ମନ୍ଦ ଉଦ୍ଦେଶ୍ୟ ରଖି ସେମାନଙ୍କ ଶରୀରକୁ ଛୁଉଁଥିଲେ। ବାରମ୍ବାର ଏଭଳି ଘଟଣା ଘଟିବାରୁ ସେମାନେ ଅଭିଭାବକଙ୍କୁ ଜଣାଇଥିଲେ। ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରକ୍ତରେ ଚିଠି ଲେଖିବା ସହ ଅଭିଯୁକ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଭାବକମାନେ ସ୍କୁଲରେ ପହଞ୍ଚି ଅଧ୍ୟକ୍ଷଙ୍କୁ ତାଗିଦ କରିବାରୁ ସେ ଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ଅଭିଭାବକମାନେ ଅଧ୍ୟକ୍ଷଙ୍କୁ ମାଡ଼ ମାରିଥିଲେ। ଅଧ୍ୟକ୍ଷଙ୍କ ପାଲଟା ଅଭିଯୋଗକ୍ରମେ ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆମକୁ ଥାନାରେ ପ୍ରାୟ ୪ ଘଣ୍ଟା ଧରି ପୋଲିସ ଅଟକ ରଖିଥିଲା ଏବଂ ସ୍କୁଲ କର୍ତ୍ତୃପକ୍ଷ ଆମକୁ ଶ୍ରେଣୀକକ୍ଷରେ ପ୍ରବେଶ କରିବାକୁ ବାରଣ କରିଥିଲେ ବୋଲି ଛାତ୍ରୀମାନେ ଏହି ରକ୍ତଭିଜା ଚିଠିରେ ଲେଖିଛନ୍ତି। ଅଧ୍ୟକ୍ଷ ଜଣକ ଆର୍‌ଏସ୍‌ଏସ୍‌ ସଦସ୍ୟ ବୋଲି କୁହାଯାଉଛି।

Share