ସାପକାମୁଡ଼ା ପରେ ବି ପରୀକ୍ଷା ଦେବାକୁ ଗଲେ ଛାତ୍ରୀ

ଆନନ୍ଦପୁର, ୨୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ମହାବିଦ୍ୟାଳୟର ଜଣେ ଯୁକ୍ତ ୨ ଛାତ୍ରୀ ସାପ କାମୁଡ଼ାର ଶିକାର ହେବା ପରେ ମଧ୍ୟ ପରୀକ୍ଷା ଦେବାକୁ କେନ୍ଦ୍ରକୁ ଯିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ସେ ପରୀକ୍ଷା ହଲ୍‌ ନିକଟରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛାତ୍ରୀ ଜଣକ ହେଲେ ଆନନ୍ଦପୁର ଥାନା ଅଞ୍ଚଳର ଆମ୍ବଗଡ଼ିଆ ଗ୍ରାମର ଅନିଶା ପ୍ରିୟଦର୍ଶିନୀ ସାହୁ।
ଶନିବାର ଅନିଶାଙ୍କ ପରୀକ୍ଷା ଥିଲା। ସେ ମା’ଙ୍କ ସହ କଲେଜକୁ ଆସିଥିଲେ। କଲେଜ ପରିସରରେ ତାଙ୍କ ଦେହ ଥରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସାପ କାମୁଡ଼ିଥିବା କହିବା ପରେ ତାଙ୍କ ମା’ ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସା ସହ ରକ୍ତ ନମୁନା ଦେଇ ଘରକୁ ଫେରିଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ତେବେ ତାଙ୍କୁ ସାପ କାମୁଡ଼ିଛି କି ନାହିଁ ସେ ସମ୍ପର୍କରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଧନେଶ୍ୱର ସେଠୀଙ୍କୁ ପଚାରିବାରେ ସେ କିଛି ଜାଣି ନାହାନ୍ତି। ଯେଉଁ ଡାକ୍ତର ଚିକିତ୍ସା କରିଛନ୍ତି ତାଙ୍କୁ ପଚାରନ୍ତୁ ବୋଲି କହିଥିଲେ। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧ୍ୟାପକ ଦିବ୍ୟଲୋଚନ ଭୂୟାଁଙ୍କ ସୂଚନା ଅନୁଯାୟୀ, ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି। ସମ୍ପୃକ୍ତା ଛାତ୍ରୀ ୩ ତାରିଖରେ ପ୍ରଥମ ପରୀକ୍ଷା ଦେଇଥିଲେ। ଉକ୍ତ ଦିନ ଛାତ୍ରୀ ଅସୁସ୍ଥ ଥିବା ସୂଚନା ପାଇ ତାଙ୍କ ଅଭିଭାବକ ଆସି ତାଙ୍କୁ ଘରକୁ ନେଇଥିଲେ। ମାର୍ଚ୍ଚ ୪ ଓ ୫ ତାରିଖରେ ଥିବା ପରୀକ୍ଷାରେ ଛାତ୍ରୀ ଅନୁପସ୍ଥିତ ରହିଥିଲେ। ମାର୍ଚ୍ଚ ୨୩ରେ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଶନିବାର ପରୀକ୍ଷା ଦେବାକୁ ଆସିଥିଲେ। ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନା ଯାଇଥିଲେ। ସେଠାରୁ ଘରକୁ ଫେରିଥିବା ସୂଚନା ମିଳିଛି। ଏନେଇ ଛାତ୍ରୀଙ୍କ ମା’ ସୁକାନ୍ତୀ ସାହୁ କହିଛନ୍ତି, ଝିଅ ନିମ୍ବ କାଠି ଆଣିବାକୁ ବାରିପଟକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା। ମାତ୍ର ସେ କାହାକୁ କିଛି ନ କହି ପରୀକ୍ଷା ଦେବାକୁ ପଳାଇଥିଲେ।