କୁକୁରକୁ ଭାରତ ପଠାଇଲେ ଛାତ୍ର, ନିଜେ ଆସିବାକୁ ମନା କଲେ; କାରଣ ଜାଣିଲେ…

ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଏବେ ବି କିଛି ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଭାରତ ସରକାର ‘ଅପରେଶନ ଗଙ୍ଗା’ ଯୋଗେ ଛାତ୍ରୀଛାତ୍ରଙ୍କୁ ଏୟାରଲିଫ୍ଟ କରିସାରିଛନ୍ତି। ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ହରିୟାଣାର ରୋହତକରେ ରହୁଥିବା ଏମ୍‌ବିବିଏସ୍‌ ଛାତ୍ର ସାହିଲ ଦୁହନ ରୁଷିଆନ ପ୍ରଜାତିର ପୋଷା କୁକୁର ସୁଣ୍ଡୁକୁ ନିଜେ ନ ଆସି ଭାରତ ପଠାଇ ଦେଇଛନ୍ତି। କାରଣ ୟୁକ୍ରେନରେ ଜଣେ ସାଙ୍ଗକୁ ସାହାଯ୍ୟ କରିବା ପାଇଁ ସେଠାରେ ସେ ଅଛନ୍ତି।

ସାହିଲଙ୍କ ପରିବାର ଲୋକେ କୁହନ୍ତି, ଯୁଦ୍ଧ ସମୟରେ ସେ ତାଙ୍କ ପାଳିତ କୁକୁରକୁ ଏକୁଟିଆ ଛାଡ଼ିବାକୁ ଚାହିଁ ନ ଥିଲେ। ଏଥିପାଇଁ ସାହିଲ ତାଙ୍କର ଜଣେ ବନ୍ଧୁଙ୍କ ସହ କୁକୁରକୁ ଭାରତ ପଠାଇଥିଲେ। ମାତ୍ର ସେ ଆଉ ଜଣେ ସାଙ୍ଗକୁ ସାହାଯ୍ୟ କରିବା ପାଇଁ ୟୁକ୍ରେନରେ ରହିଲେ। କାରଣ ତାଙ୍କ ସାଙ୍ଗର ୨ ମାସର ଏକ ପୁଅ। ତାଙ୍କ ମା’ ଅସୁସ୍ଥ। ତେଣୁ ସେ ଆସି ପାରିଲେ ନାହିଁ। ଅନ୍ୟପକ୍ଷରେ ସୁଣ୍ଡୁ ସାହିଲଙ୍କୁ ବି ଭାରତରେ ବହୁତ ଖୋଜୁଛି। କେହି ବି ଗେଟ୍‌ ଖୋଲିଲେ ସେ ଦୌଡ଼ି ଯାଉଛି। ସବୁ ବେଳେ ଉଦାସ ମନରେ ରହୁଛି ସୁଣ୍ଡୁ। କୁକୁର ହେଲେ ବି ସେ ସାହିଲଙ୍କୁ ମନେ ମନେ ବହୁତ ଖୋଜୁଛି।

ସାହିଲଙ୍କ ପରିବାର ସୁଣ୍ଡୁର ବେଶ୍‌ ଭଲ ଭାବେ ଦେଖାଶୁଣା କରୁଛନ୍ତି। ସୁଣ୍ଡୁ ୩ ମାସ ପୂର୍ବରୁ ସାହିଲଙ୍କ ସହ ଭାରତ ଆସିଥିଲା। ୮ ମାସ ତଳେ ସାହିଲ ସୁଣ୍ଡୁକୁ ୟୁକ୍ରେନରୁ କିଣିଥିଲେ। ସେ ଘରକୁ ଆସିଲେ ତାକୁ ସାଥୀରେ ଆଣି ଆସନ୍ତି। ଏଥର କିନ୍ତୁ ସୁଣ୍ଡୁ ଏକା ଆସିଛି।

Share