କପି ଧରାପଡ଼ିବାରୁ ଜୀବନ ହାରିଲେ ଛାତ୍ର, ହଷ୍ଟେଲରୁ ମିଳିଲା ମୃତଦେହ

ଜଟଣୀ,୨୮।୪(ଡି.ଏନ୍‌.ଏ.): ରାଜ୍ୟରେ ଗତ କିଛିମାସ ମଧ୍ୟରେ କେତେକ କଲେଜ ପରିସରରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ନଜରକୁ ଆସିଛି। ଏହା ଉଭୟ କଲେଜ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଗତ ମାସ ୧୪ତାରିଖରେ ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ନାଇଜର କଲେଜ ହଷ୍ଟେଲରୁ ଜଣେ ଛାତ୍ରୀ ଡେଇଁ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ବୁଧବାର ପରୀକ୍ଷାରେ କପି କରି ଧରାପଡ଼ିଯିବାରୁ ଜଣେ ଛାତ୍ର ଜୀବନ ହାରିଛନ୍ତି। ଏହି ଦୁଃଖଦ ଘଟଣା ଜଟଣୀରେ ଥିବା ସେଞ୍ଚୁରିଆନ ୟୁନିଭରସିଟିରେ ଘଟିଛି। ମୃତ ଛାତ୍ର ହେଲେ ବିଏସ୍‌ସି ରେଡିଓଲୋଜି ବିଭାଗର ଦ୍ୱିତୀୟ ବର୍ଷରେ ପଢୁଥିବା ଯାଜପୁର ଅଞ୍ଚଳର ବିଷ୍ଣୁ ଭରଦ୍ୱାଜ। ଏହି ଘଟଣାକୁ ପ୍ରତିବାଦ କରି ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ପୋଲିସ ଅଧିକାରୀମାନେ ଆସି ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ଜଟଣୀ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୧୨/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ୟୁନିଭରସିଟିରେ ବୁଧବାର ପୂର୍ବାହ୍ନରେ ସମସ୍ତ ବିଭାଗର ସେମିଷ୍ଟର ପରୀକ୍ଷା ଚାଲୁଥିଲା। ଏହି ପରିପ୍ରେକ୍ଷୀରେ ଛାତ୍ର ବିଷ୍ଣୁ ମଧ୍ୟ ପରୀକ୍ଷା ଦେଉଥିଲେ। କିନ୍ତୁ ସେ କପି କରୁଥିବାବେଳେ ପରୀକ୍ଷା ନିରୀକ୍ଷକଙ୍କ ଦ୍ୱାରା ଧରାପଡ଼ିଯାଇ ଏମ୍‌ପି(ମାଲ୍‌ ପ୍ରାଟିସ୍‌) ହୋଇଥିଲେ। ଏହାପରେ ବିଷ୍ଣୁ ହଷ୍ଟେଲକୁ ଚାଲିଯାଇଥିଲେ। ପରେ ସାଙ୍ଗମାନେ ତାଙ୍କୁ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନ ଥିଲେ। ଫଳରେ ସନ୍ଦେହ କରି କବାଟ ଭାଙ୍ଗିବା ପରେ ବିଷ୍ଣୁ ପଙ୍ଖାରେ ଝୁଲୁଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ବିଷ୍ଣୁଙ୍କୁ ଓହ୍ଲାଇ ପ୍ରଥମେ ସ୍ଥାନୀୟ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଘଟଣା ବିଷୟରେ ଜାଣି ଛାତ୍ରୀଛାତ୍ରମାନେ ଏହାର ପ୍ରତିବାଦ କରିବା ସହ ବିଭିନ୍ନ ଦାବି ନେଇ କଲେଜର ମୁଖ୍ୟଫାଟକ ଆଗରେ ହୋହଲ୍ଲା କରିଥିଲେ। ଖବରପାଇ କମିଶନରେଟ ପୋଲିସ ଜୋନ୍‌-୩ ଏସିପି ରଜତ ରାଏ, ଜଟଣୀ ଥାନାଧିକାରୀ ଦୟାନିଧି ନାୟକ, ତମାଣ୍ଡୋ ଥାନାଧିକାରୀ, ଇମ୍ଫୋଭ୍ୟାଲି ଥାନାଧିକାରୀଙ୍କ ସହିତ ଫୋର୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କୁ ବୁଝାଇଥିଲେ। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।