ପ୍ରବେଶିକା ପରୀକ୍ଷାରୁ ଛାତ୍ରୀ ବଞ୍ଚିତ

ଭୁବନ, ୬।୩(ଡି.ଏନ.ଏ.):ଶିକ୍ଷା ବିଭାଗର ତ୍ରୁଟି କାରଣରୁ ଜଣେ ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଢେଙ୍କାନାଳ ଜିଲା କାଙ୍କଡ଼ପାଳ ସିମିଳିଆ ଗ୍ରାମ ସରସ୍ବତୀ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ରୀ ତଥା ପ୍ରଦୀପ କୁମାର ସାହୁଙ୍କ ଝିଅ ଶୁଭଶ୍ରୀଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି।
ଅଭିଯୋଗ ଅନୁଯାୟୀ, ଅନ୍‌ଲାଇନ୍‌ରେ ମିଳିଥିବା ଶୁଭଶ୍ରୀଙ୍କ ଆଡ୍‌ମିଟ୍‌ କାର୍ଡରେ ଅନ୍ୟ ଜଣେ ଝିଅଙ୍କ ଫଟୋ ଥିଲା। ଏ ନେଇ ସେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଢେଙ୍କାନାଳ ବ୍ଲକ ଶିକ୍ଷାଧିକାରୀ ମାର୍ଚ୍ଚ ୩ରେ ଶୁଭଶ୍ରୀଙ୍କ ପ୍ରକୃତ ଫଟୋ ଉପରେ ଦସ୍ତଖତ କରି ଅନ୍ୟ ଏକ ପ୍ରବେଶପତ୍ର ପ୍ରିଣ୍ଟ କରାଇ ଦେଇଥିଲେ। ତେବେ ସେ ରବିବାର ଭୁବନ ସରକାରୀ ହାଇସ୍କୁଲରେ ଆୟୋଜିତ ପ୍ରବେଶିକା ପରୀକ୍ଷା ଦେବାକୁ ଆସିଥିବାବେଳେ ରୋଲ ନମ୍ବର ୨୨୧୬୦୯୦୯୧୪୦କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। କାରଣ ସମାନ ରୋଲ ନମ୍ବରରେ ଦୁଇଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିଥିଲେ। ତେବେ ଶୁଭଶ୍ରୀଙ୍କ ଆଡ୍‌ମିଡ୍‌ କାର୍ଡକୁ ସୁପରିଣ୍ଟେଣ୍ଡେଣ୍ଟ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏ ନେଇ ଭୁବନ ବ୍ଲକ ଶିକ୍ଷାଧିକାରୀ ରୁଦ୍ରନାରାୟଣ ସାମଲଙ୍କ ସହିତ ଯୋଗାଯୋଗ ହୋଇ ପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।