ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘର୍ଷ ସମିତି

ବଲାଙ୍ଗୀର ଅଫିସ,୨୮ା୯: ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାମ ତ୍ୱରାନ୍ବିତ ହୋଇପାରୁନାହିଁ। ବର୍ଷ ବର୍ଷ ହେଲା ଏହି ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରାଯାଉଥିଲେ ମଧ୍ୟ ପ୍ରକଳ୍ପ କାମ ଆଗଉ ନାହିଁ। ବିଭିନ୍ନ ବାହାନାବାଜି କରାଯାଇ ରେଳପ୍ରକଳ୍ପ କାମକୁ ଘୋର ଅବହେଳା କରାଯାଉଛି। ଏହି ପ୍ରକଳ୍ପ ତ୍ୱରାନ୍ବିତ କରିବା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦିଅନ୍ତୁ ବୋଲି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସଠାରେ ଦାବିପତ୍ର ଦିଆଯାଇଥିଲା। ଦାବିପତ୍ର ଦିଆଯିବା ସମୟରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଜିଲା ପରିଷଦ ସଭାପତି ଦେବକୀ ସାହୁ ଉପସ୍ଥିତ ଥିଲେ।
ସଂଘର୍ଷ ସମିତି ଆବାହକ ଗୋପାଳଜୀ ପାଣିଗ୍ରାହୀ ଓ ସଂଯୋଜକ ଭବାନୀ ଶଙ୍କର ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀ ଅମାତଙ୍କୁ ଭେଟି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବିଭିନ୍ନ ସମସ୍ୟା କିଭଳି ଦୂର ହୋଇ କାମ ତ୍ୱରାନ୍ବିତ ହେବ ସେ ଉପରେ ଆଲୋଚନା କରିଥିଲେ। ପ୍ରତିନିଧିମାନେ କହିଥିଲେ ଯେ, ଯେତିକି ଅନୁଦାନ ଆସୁଛି ତାହା ଖର୍ଚ୍ଚ ହୋଇପାରୁନାହିଁ। ଜଙ୍ଗଲ ଜମି ଅନୁମତିି ନ ମିଳିବାର ନଁାରେ ପ୍ରକଳ୍ପ କାମ ବନ୍ଦ ପଡିଛି। ଆନୁସଙ୍ଗିକ କାମ ବି କରାଯାଉନାହିଁ। ଯେତିକି ଜମି ଅଧିଗ୍ରହଣ ସରିଛି ବୋଲି କୁହାଯାଉଛି ସେହି ଜମିରେ ରେଳପଥ ନିର୍ମାଣ ହେଉନାହିଁ। କାମ କରିବା ଦିଗରେ ରେଳବିଭାଗର ଆନ୍ତରିକତା ନାହିଁ ବୋଲି କହିଥିଲେ। ଜମି ଅଧିଗ୍ରହଣ ସମସ୍ୟା ଦୂର କରିବାରେ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କହିଥିଲେ। ତୁରନ୍ତ ରେଳବିଭାଗ ଜେନେରାଲ ମ୍ୟାନେଜରଙ୍କୁ ଡାକି ଏଦିଗରେ ସମୀକ୍ଷା କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଅମାତ ବଲାଙ୍ଗୀର ପଟରୁ ବୌଦ୍ଧ ଜିଲା ଚାରିଛକ ଯାଏ ଜମି ଅଧିଗ୍ରହଣ ସରିଛି ବୋଲି କହିଥିଲେ। ତେବେ କାମ କାହିଁକି ହେଉନାହିଁ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରଶ୍ନ କରିଥିଲେ। ଖୁବ୍‌ ଶୀଘ୍ର ରେଳବିଭାଗର ଏକ ଏକ ସମୀକ୍ଷା ବୈଠକ ଡାକିବେ ବୋଲି କହିଥିଲେ। ଜଙ୍ଗଲ ଜମି ଉପରେ ମଧ୍ୟ ଶୀଘ୍ର ଅନୁମତି ମିଳିଯିବ ଓ କାମ ତ୍ୱରାନ୍ବିତ ହେବ ବୋଲି ମନ୍ତ୍ରୀ ଅମାତ କହିଥିଲେ। ସଂଘର୍ଷ ସମିତି ପ୍ରତିନିଧି ମଣ୍ଡଳୀରେ ଅ୍ଯଯମାନଙ୍କ ମଧ୍ୟରେ ଜିଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଭାକର ମିଶ୍ର, ମନୋରଞ୍ଜନ ମିଶ୍ର, ଆକ୍ସନ କମିଟି ସଭାପତି ମୁନା ପଟ୍ଟନାୟକ, ରବି ଖମାରୀ, ପ୍ରମୋଦ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।