ବିଶ୍ୱ ମହାଶକ୍ତିର ରଣନୀତି ନେଇ ହେବ ଐତିହାସିକ ବୈଠକ: ବାଇଡେନ, ମୋଦି ଦେବେ ଯୋଗ

ସିଡ୍‌ନୀ,୩୦ା୪: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାର୍‌ପେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ପ୍ରଶାନ୍ତ ଦ୍ୱୀପପୁଞ୍ଜର ନେତାମାନଙ୍କ ସହ ଯୋଗଦେବେ। ମାର୍‌ପେ ଏକ ବିବୃତ୍ତିରେ କହିଛନ୍ତି, ଏହା ପ୍ରଥମ ଐତିହାସିକ ବୈଠକ ହେବ। ଯେଉଁଠାରେ ବିଶ୍ୱ ମହାଶକ୍ତିର ଭବିଷ୍ୟତ ରଣନୀତି ପ୍ରଶାନ୍ତ ମହାସାଗରର ସବୁଠୁ ବଡ଼ ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି।

ମାର୍‌ପେ ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବାକୁ ଚାହୁଁଛନ୍ତି। ସେ ଚାଇନା, ଆମେରିକା ଏବଂ ଏହାର ସହଯୋଗୀମାନଙ୍କୁ ସ୍ବାଗତ କରୁଛନ୍ତି। ୨୦୧୮ରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶ ଗସ୍ତ କରିଥିଲେ। ଗତବର୍ଷ ସୋଲେମାନ ଦ୍ୱୀପପୁଞ୍ଜ ସହିତ ଚାଇନାର ସୁରକ୍ଷା ଚୁକ୍ତିକୁ ଦୃଷ୍ଟିରେ ରଖି ଓ୍ବାଶିଂଟନ ଏହି ଅଞ୍ଚଳରେ ବେଜିଂର ବଢୁଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ପ୍ରଶାନ୍ତ ଦ୍ୱୀପପୁଞ୍ଜର ୧୦ ଦେଶ ଏବଂ ଚାଇନା ଏକ ବ୍ୟାପକ ବାଣିଜ୍ୟ ଏବଂ ସୁରକ୍ଷା ଚୁକ୍ତି କରିବାରେ ବିଫଳ ହୋଇଥିଲେ।

Share