ସାମ୍ନାକୁ ଆସିଲା ‘ଦୃଶ୍ୟମ’ ଚଳଚ୍ଚିତ୍ରର କାହାଣୀ: ଚାଦର ଭିତରେ….

ଜୁନାଗଡ଼, ୨୫।୧୧ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ନିକଟରେ ଚାଦରରେ ଗୁଡ଼ାଯାଇଥିବା ଏକ ମୃତଦେହକୁ ନେଇ ବୁଧବାର ସକାଳରେ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ପ୍ରଥମେ ଚାଦର ଘୋଡ଼ାଯାଇଥିବା ମୃତଦେହକୁ ଦେଖି ସ୍ଥାନୀୟ ଲୋକଙ୍କ ମନରେ ନାନା ଆଶଙ୍କା ଉପୁଜିଥିଲା। ଏପରିକି ହତ୍ୟାକାଣ୍ଡର ସନ୍ଦେହ ମଧ୍ୟ ପ୍ରକାଶ ପାଇଥିଲା। ତେବେ ଚାଦର ହଟାଇବା ପରେ ସେଥିରେ ଏକ କୁକୁରର ମୃତଦେହ ଥିବା ଜଣାପଡ଼ିଥିଲା।
କୁକୁରର ମୃତଦେହକୁ ଚାଦରରେ ଗୁଡ଼ାଇ କିଏ ଓ କାହିଁକି ସେଠାରେ ଫିଙ୍ଗିଲା, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ପୋଲିସ ଉପସ୍ଥିତ ରହିବା ଏବଂ ଲୋକଙ୍କ ଭିଡ଼ ଜମିବା ଘଟଣାକୁ ଆହୁରି ରୋଚକ କରିଥିଲା।
ସମଗ୍ର ଘଟଣାଟି ବଲିଉଡର ଚର୍ଚ୍ଚିତ ରହସ୍ୟମୟ ଚଳଚ୍ଚିତ୍ର ‘ଦୃଶ୍ୟମ’ର କାହାଣୀ ଭଳି ମନେ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ତେବେ ଏହା ପଛରେ କାହାର ହାତ ରହିଛି ଏବଂ କେଉଁ କାରଣରୁ ଏଭଳି କରାଯାଇଛି, ତାହା ଜଣାପଡ଼ିନାହିଁ।

Dharitri – Odisha’s No.1 Odia Daily

 

 

Share