Categories: ଜାତୀୟ

ରାହୁଲଙ୍କ ଟୁଇଟ୍‌କୁ ନେଇ ଉଠିଲା ଝଡ଼

ନୂଆଦିଲ୍ଲୀ,୨୮ ।୧୦: ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟ୍ରାୟ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଥିବା ବେଳେ ଏବେବି କମିନି ରାଜନୈତିକ ଉଷ୍ମତା । ନିର୍ବାଚନକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଏକ ଟୁଇଟ୍ କରିଥିବା ବେଳେ ଏବେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ରାହୁଲଙ୍କ ଉପରେ ଖୁବ୍ ବର୍ଷିଛି । ଭାଜପା କହିଛି ସେ ଏହି ଟୁଇଟ୍ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ । ଟୁଇଟ୍‌ରେ ରାହୁଲ ମହାମେଣ୍ଟକୁ ଭୋଟ ଦେବାକୁ ଅପିଲ କରିଥିଲେ । ଏବେ ଭାଜପାର କହିବା କଥା ହେଲା ଭୋଟ ଗ୍ରହଣ ସମୟରେ ନିଜ ପକ୍ଷରେ ଭୋଟ ଦେବାକୁ କହିବା ଅର୍ଥ ଆଚାର ସଂହିତାର ଉଲ୍ଲଘଂନ କରିବା । ସୂଚନାଯୋଗ୍ୟ, ରାହୁଲ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, ଏଥର ନ୍ୟାୟ, ରୋଜଗାର, କୃଷକ-ଶ୍ରମିକଙ୍କ ପାଇଁ ଆପଣଙ୍କ ଭୋଟ କେବଳ ମହାମେଣ୍ଟକୁ ଯାଉ । ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆପଣମାନଙ୍କୁ ସ୍ୱାଗତ । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣର ବୁଧବାର ସକାଳୁ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ପ୍ରାୟ ୧୫.୭୬ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିବା ଜଣାପଡିଛି । କରୋନା ମହାମାରୀ ସଂକ୍ରମଣ ପରେ ବି ଲୋକେ ବହୁ ସଂଖ୍ୟାରେ ଭୋଟ ଦେବାକୁ ବୁଥ୍ ବାହାରେ ଲାଇନ୍‌ରେ ଠିଆ ହୋଇଥିବା ଦେଖାଯାଇଛି ।

Share