ଚୋରି ସୁନା ବିକି ସ୍କୁଟି କିଣିଥିଲେ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ନିବେଦିତା ରାୟଙ୍କ ଘରୁ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଗିରଫ ହୋଇଛନ୍ତି ଜଣେ ମହିଳା ଘରୋଇ ସହାୟିକା ଓ ତାଙ୍କ ସହଯୋଗୀ। ସେମାନେ ହେଲେ ଡୁମୁଡୁମା ରଘୁନାଥ ନଗରରେ ରହୁଥିବା ଡି. ଇନ୍ଦୁ ରାଓ ଓ ଲକ୍ଷ୍ମୀଧର ତ୍ରିପାଠୀ। ପୋଲିସ ସେମାନଙ୍କଠାରୁ ୯୦ ଗ୍ରାମ ସୁନା ଓ ଏକ ସ୍କୁଟିକୁ ଜବତ କରିଛି। ଚୋରି ସୁନାକୁ ବିକ୍ରି କରି ସେମାନେ ଉକ୍ତ ସ୍କୁଟି କିଣିବା ସହ ଚୋରି ଟଙ୍କାକୁ ଭାଗବାଣ୍ଟି ନେଇଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ନିବେଦିତାଙ୍କ ଘରେ ଗତ ନଭେମ୍ବର ମାସରୁ ଅଭିଯୁକ୍ତ ଇନ୍ଦୁ ରାଓ ଘରୋଇ ସହାୟିକା ଭାବେ କାମ କରୁଥିଲେ। ନିବେଦିତା ସୁନା ଗହଣା ଓ ଟଙ୍କା କେଉଁଠି ରଖୁଥିଲେ ତାହା ଉପରେ ପୂରା ନଜର ରଖିଥିଲେ ଇନ୍ଦୁ। ବୁଧବାର ନିବେଦିତା କାୈଣସି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ସେ ଲକର ଚାବି ଖୋଲି ସେଥିରେ ଥିବା ମଙ୍ଗଳସୂତ୍ର, ହାର, କାନଫୁଲ, ଚେନ ଆଦି ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଚୋରି କରିନେଇଥିଲେ। ପରେ ଏହି ଲୁଟ୍‌ ସୁନାକୁ ସହଯୋଗୀ ଲକ୍ଷ୍ମୀଧରଙ୍କ ସହାୟତାରେ ବଜାରରେ ବିକ୍ରି କରିଥିଲେ। ନିବେଦିତା ଘରକୁ ଫେରିବା ପରେ ତାଙ୍କ ସୁନା ଗହଣା କିଛି ନ ଥିବା ଦେଖିଥିଲେ। ଏନେଇ ସେ ଇନ୍ଦୁଙ୍କୁ ପଚାରିବାରୁ ସେ ସୁନା ବିଷୟରେ କିଛି ଜାଣି ନ ଥିବା କହିଥିଲେ। ତେବେ ପୂର୍ବରୁ ମଧ୍ୟ ଥରେ ଇନ୍ଦୁ ତାଙ୍କ ଘରୁ ଏକ ସୁନା ମୁଦି ଚୋରି କରିଥିବାରୁ ନିବେଦିତାଙ୍କ ତାଙ୍କ ଉପରେ ସନ୍ଦେହ ଦୃଢ ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଇନ୍ଦୁଙ୍କୁ ଥାନାକୁ ଆଣି ପଚରାଉରା କରିବାରୁ ସେ ସତ ମାନିଥିଲେ।