ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଲୋକାର୍ପିତ

ପାରାଦୀପ,୨୬ା୪(ସ୍ବ.ପ୍ର.):ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ସୋମବାର ପାରାଦୀପର ଇଫକୋ କାରଖାନା ସଲଗ୍ନ ମହାନଦୀରେ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ, ଜଳପଥ ଓ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏହାକୁ ଉଦ୍‌ଘାଟନ କରିଥିଲେ। ମହାନଦୀ କୂଳରେ ହୋଇଥିବା ଭାସମାନ ପୋଣ୍ଟମଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ମନ୍ତ୍ରୀ ସୋନଓ୍ବାଲ ପତାକା ଦେଖାଇ ଏକ ବାର୍ଜକୁ ନୌଚାଳନା ପାଇଁ ସଙ୍କେତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ, ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, ଆଇଡବ୍ଲ୍ୟୁଏଆଇ(ଇନଲାଣ୍ଡ ଓ୍ବାଟରଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ)ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୟ ବନ୍ଦୋପାଧ୍ୟାୟ, ବନ୍ଦର ଅଧ୍ୟକ୍ଷ ପି.ଏଲ.ହାରାନ୍ଧ, ଇଫ୍‌କୋର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାକେଶ କପୁର, ଇଫ୍‌କୋ କମ୍ପାନୀ ପାରାଦୀପ ନିର୍ବାହୀ ନିର୍ଦ୍ଦେଶକ କେ.ଜେ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ସୋନଓ୍ବାଲ କହିଥିଲେ, ନଦୀଭିତ୍ତିକ ବନ୍ଦର ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ବନ୍ଦର ବାଟେ ଇଫ୍‌କୋର ଜିପସମ ବାର୍ଜ ଯୋଗେ ପାରାଦୀପ ବନ୍ଦର ପୋତାଶ୍ରୟକୁ ଯାଇ ସେଠାରେ ବୃହତ୍‌ ଜାହାଜରେ ବୋଝେଇ ହୋଇ ବିଭିନ୍ନ ସ୍ଥାନକୁ ଯିବ। ଏହାଦ୍ବାରା ପରିବହନ ଖର୍ଚ୍ଚ କମ ହେବା ସହ ଟ୍ରାଫିକ ନିୟନ୍ତ୍ରଣ ଓ ପ୍ରଦୂଷଣ ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଦେଶର ୧୧୧ ନଦୀରେ ଜଳପଥ ବିକାଶ ପାଇଁ କେନ୍ଦ୍ର ସରକାର ଖସଡ଼ା କରିଛନ୍ତି। ସେଥିରୁ ଏପର୍ଯ୍ୟନ୍ତ ୩ ନଦୀରେ ପଣ୍ୟ କାରବାର ଓ ପର୍ଯ୍ୟଟନ ବିକାଶ କରାଯାଇଛି। ସେଗୁଡିକ ହେଲା ଗଙ୍ଗା, ବ୍ରହ୍ମପୁତ୍ର ଓ ମହାନଦୀ। ଆଗକୁ ମହାନଦୀର ଅନ୍ୟ ସ୍ଥାନ ଓ ବ୍ରାହ୍ମଣୀ ନଦୀରେ ନଦୀଭିତ୍ତିକ ବନ୍ଦର ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ପର୍ଯ୍ୟାୟକ୍ରମେ ଏହାର ବିକାଶ କରାଯିବ। କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ଯୋଜନାରେ ଓଡ଼ିଶା ସରକାର ସହଯୋଗ କରୁଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବେହେରା ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ଏଥିରେ ରାଜ୍ୟ ସରକାର ସବୁମତେ ସହଯୋଗ କରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ବନ୍ଦର ଅଧ୍ୟକ୍ଷ ହାରାନ୍ଧ କହିଥିଲେ, ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଏହା ଉନ୍ନତି ଆଣିବ। ୨୦୨୫ ସୁଦ୍ଧା ପାରାଦୀପ ଦେଶର ଏକ ନମ୍ବର ଓ ୨୦୩୦ ସୁଦ୍ଧା ବିଶ୍ବର ବୃହତ୍‌ ବନ୍ଦର ତାଲିକାରେ ସାମିଲ ହେବାକୁ ଯାଉଛି।
ସୂଚନାଯୋଗ୍ୟ, ଏହି ନଦୀ ଭିତ୍ତିକ ବନ୍ଦରକୁ ଓଡିଶା ସରକାର, ପାରାଦୀପ ବନ୍ଦର, ଆଇଡବ୍ଲ୍ୟୁଏଆଇ, ଇଫକୋ, ଏବଂ ଓଏସ୍‌ଏଲ (ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼)ମିଳିତ ଭାବେ କରିଛନ୍ତି। ନିର୍ମାଣ ଓ ପରିଚାଳନା କାମ ଓଏସ୍‌ଏଲ୍‌ କରୁଛି। ଏଥିପାଇଁ ୨୦୨୧ ଫେବୃୟାରୀ ୨୫ରେ ଚୁକ୍ତି ସ୍ବାକ୍ଷର ହୋଇଥିଲା।